Sat. Mar 7th, 2026

ଭଦ୍ରକ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ; ୯୦ରେ ପହଞ୍ଚିଲା ସଂଖ୍ୟା

228 Views

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟରେ ତଥ୍ୟ  ପ୍ରକାଶ ପାଇଛି।

ଏହି ନୂଆ ଚିହ୍ନଟ ରୋଗୀଜଣଙ୍କ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳର। ତାଙ୍କର ବୟସ ୪୦ ବର୍ଷ। ସେ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି।

ଏହି ନୂଆ କରୋନା ଆକ୍ରାନ୍ତଜଣଙ୍କ ଚିହ୍ନଟ ହେବା ପରେ ବାସୁଦେବପୁର ବ୍ଲକର ଅରଣ୍ଡୁଆ ଓ ବ୍ରାହ୍ମଣୀଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏବେ ସୁଦ୍ଧା ଭଦ୍ରକ ଜିଲ୍ଲାରେ ମୋଟ ୧୨ ଜଣ କରୋନା ରୋଗୀ ଚିହ୍ନଟ ହେଲେଣି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇଛନ୍ତି। ୫୬ ଜଣ ବିଭିନ୍ନ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ଆମ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଗତକାଲି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରାଯାଇଛି। ଗୋଟିଏ ଦିନରେ ୨୪୭୪ଟି RTPCR ନମୂନା ପରୀକ୍ଷା କରାଯାଇଛି। ଏଥିରୁ RMRCରେ ୧୨୪୧ ଟି, AIIMSରେ ୧୧୫, SCBରେ ୫୪୮, MKCGରେ ୪୫, VIMSARରେ ୬୬, ILSରେ୩୭୭, IGHରେ ୬୩ ଓ ଆପୋଲୋରେ ୧୯ଟି ନମୁନା ପରୀକ୍ଷା କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

By amfnews

Related Post