Sun. Mar 16th, 2025

ଭଣ୍ଡାରିମାଲ ଡବଲ ମର୍ଡର ଘଟଣା: ଗାଁ ୪ ଗିରଫ

By amfnews Sep 25, 2019 #Featured
328 Views

ସମ୍ବଲପୁର/ଯୁଯୁମୁରା/ପଡ଼ିଆବାହାଲ  : ସୋମବାର ରାତି‌େର ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଭଣ୍ଡାରିମାଲ ଗାଁରେ ଘଟିଥିବା ଲୋମଟାଙ୍କୁରା ଡବଲ ମର୍ଡର ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଓ ଆଲୋଡ଼ନ ସୃଷ୍ଟି କରିଛି। ଯୁଯୁମୁରା ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଉଭୟ ଗୋଷ୍ଠୀର ୪ ଜଣଙ୍କୁ ଗିରଫ କରିଥିବାବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇ ଯାଇଥିବାବେଳେ ଚାପା ଉତ୍ତେଜନା ଲାଗି ରହିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଗାଁରେ ଗୋଟିଏ ପ୍ଲାଟୁନ୍‌ ପୁଲିସ୍‌ ଓ ଗୋଟିଏ ପ୍ଲାଟୁନ୍‌ ଆଇଆର୍‌ବି ଯବାନଙ୍କୁ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଏହି ରକ୍ତାକ୍ତ ସଂଘର୍ଷରେ ପ୍ରାଣ ହରାଇଥିବା ଗୋଟିଏ ପରିବାରର ୨ ଭାଇ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରାଙ୍କ ଶବ ଆଜି ଅପରାହ୍ନରେ ଗାଁ ମଶାଣିରେ ଗୋଟିଏ ଜୁଇରେ ଜଳିଛି। ଘଟଣା ସଂପର୍କରେ ସୂଚନା ଦେଇ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ କହିଛନ୍ତି ଯେ, ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ। ପ୍ରାଥମିକ ତଦନ୍ତ ଅନୁସାରେ ଗଣ୍ଡଗୋଳ ଓ ସେଥିରେ ମହିଳାଙ୍କ ସମ୍ପୃକ୍ତି ଯୋଗୁଁ ଏହି ଘଟଣା ଘଟିଛି। ଆହତ ବିଭୂତି ଓ ମୃତ ଶକ୍ତି ପୂର୍ବରୁଏକ ହତ୍ୟା ଘଟଣାରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ଏହି ହତ୍ୟା ଘଟଣାର ମୁଖ୍ୟ କାର୍ପଟଦାର ଡିଲେଶ୍ବର ହିଁ ମୃତ ଶକ୍ତି ଓ ତାଙ୍କ ଭାଇମାନଙ୍କୁ ଉପରପଡ଼ାକୁ ଡାକି ଆଣିଥିଲା। ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇ ରକ୍ତପାତ ହେବାପରେ ସେ ଘଟଣାସ୍ଥଳରୁ ଖସିଯାଇଥିଲା। ତେବେ ଡିଲେଶ୍ବରକୁ ସାହାଯ୍ୟ କରିବାକୁ ଆସି ଅକାଳରେ ଶକ୍ତି ଓ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିଲା। ତଦନ୍ତ ବେଳେ ଗ୍ରାମର ଏକ ଜଙ୍ଗଲ ମଧ୍ୟରୁ ପୁଲିସ୍‌ ବିଦ୍ୟାଧର ଭୋଇ, ସୌଦାଗର ଭୋଇ, ବୀରେନ୍ଦ୍ର ଭୋଇ, କ୍ଷୀରୋଦ ସାହୁକୁ ଗିରଫ କରିଥିବାବେଳେ ଡିଲେଶ୍ବର ଭୋଇ ଓ ସୁରେନ୍ଦ୍ର ଭୋଇଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏହି ଘଟଣାରେ ବିଭୂତି ଭୂଷଣ କୁମରା ଓ ନନ୍ଦଲାଲ ଭୋଇ ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଅଭିଯୁକ୍ତଙ୍କ ମଧ୍ୟରୁ ବିଦ୍ୟାଧର ଓ ସୁରେନ୍ଦ୍ର ମଧ୍ୟ ଆହତ ହୋଇଛନ୍ତି। ଆଜି ସକାଳେ ପୁଲିସ୍‌ ଉପସ୍ଥିତିରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସେପଟେ, ଗାଁ ରାସ୍ତାରେ ପଡ଼ିଥିବା ଶକ୍ତିଭୂଷଣ ଓ ଅରବିନ୍ଦଙ୍କ ମୃତଦେହ ଜବତ କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

By amfnews

Related Post