Tue. Mar 10th, 2026

ଭଙ୍ଗା ଆଜବେଷ୍ଟସ ଛାତ ତଳେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

263 Views

ଭଦ୍ରକ : ଭଙ୍ଗା ଦଦରା ହୋଇ ପଡ଼ିଛି ବିଦ୍ୟାଳୟ। କାନ୍ଥ ଭାଟି ଆଁ କରିଛି। ବର୍ଷା ହେଲେ ପାଣି ପଶି ପୂରା ଶ୍ରେଣୀଗୃହ ଓଦା ହୋଇଯାଉଛି। ଏମିତିକି ବିଦ୍ୟାଳୟର ଚାରି ପାଖରେ ପୋଖରୀ ଗାଡ଼ିଆ ରହିଛି। ଏଥିସହ ଜରାଜୀର୍ଣ୍ଣ ଅବସ୍ଥାରେ ବିଦ୍ୟାଳୟର ଉପକରଣ ପଡ଼ିଛି। ଶ୍ରେଣୀଗୃହ ଅଭାବ ଯୋଗୁ ଭଙ୍ଗା ଆଜବେଷ୍ଟସ ଛାତ ତଳେ ଖୋଲାମେଲା ଝରକା ପରିସରରେ ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି । ବର୍ଷ ବର୍ଷ ଧରି ଭଦ୍ରକ ଜିଲ୍ଲାର ସର୍ବପୁରାତନ  ଦଧିବାମନ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏପରି ଚାଲିଛି ଶିକ୍ଷା ବ୍ୟବସ୍ଥା।

ଏହି ବିଦ୍ୟାଳୟରେ ୫୨୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ସହ ୧୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଛନ୍ତି। ହେଲେ ବିଦ୍ୟାଳୟରେ ପାଠପଢ଼ିବା ପାଇଁ ଉତ୍ତମ ପରିବେଶ ନାହିଁ ।  ଏମିତିକି ପିଲାଙ୍କ ପାଇଁ ପିଇବା ପାଣି, ଶୌଚାଳୟର ବ୍ୟବସ୍ଥା ନାହିଁ। କେବଳ ସେତିକି ନୁହେଁ ଥିବାବେଳେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ମଧ୍ୟ  କାର୍ଯ୍ୟାଳୟ ନାହିଁ। ବିଦ୍ୟାଳୟର ସୁପରିଚାଳନା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷାବିଭାଗ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବା ସ୍ଥାନୀୟ ଲୋକେ  ଅଭିଯୋଗ କରିଛନ୍ତି ।

ଏନେଇ ସ୍କୁଲର ଛାତ୍ରୀ ସାଜିଆ କାଦ୍ରୀ କହିଛନ୍ତି,“ବର୍ଷା ହେଲେ ଶ୍ରେଣୀ ଗୃହରେ ପାଣି ପଡୁଛି। ଏଥିସହ ଶ୍ରେଣୀ କକ୍ଷର ସବୁ ଆଜବେଷ୍ଟସ ଭାଙ୍ଗି ଯାଇଛି। ଆଜବେଷ୍ଟସର ଛୋଟ ଛୋଟ ଖଣ୍ଡ ପିଲାଙ୍କ ଉପରେ ପଡୁଛି। ସ୍କୁଲକୁ ଆସିବା ପାଇଁ ଯେଉଁ ରାସ୍ତା ଅଛି ବର୍ଷା ହେଲେ କାଦୁଅ ହୋଇଯାଉଛି।”

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ନାୟକ କହିଛନ୍ତି, “ଛାତ୍ରଛାତ୍ରୀଙ୍କ ତୁଳନାରେ ଶ୍ରେଣୀ ଗୃହ ନାହିଁ। ଯୋଉ ଦିଇଟା ଆଜବେଷ୍ଟସ ଘର ଅଛି ତାହା ଭାଙ୍ଗି ଗଲାଣି। ବର୍ଷା ହେଲେ ପିଲା ବସି ପାରୁ ନାହାନ୍ତି। ଶୌଚାଳୟ ନାହିଁ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଛନ୍ତି। ତେବେ ଛାତ୍ରୀଙ୍କ ଅଧିକ ଥିଲେ ମଧ୍ୟ ସେମାନଙ୍କ ପାଇଁ ବି ଶୌଚାଳୟ ନାହିଁ। ଅନ୍ୟ ଦିନେ ପିଲାଙ୍କୁ ବାରଣ୍ଡାରେ ବସାଇ ଦେଇଛୁ। ହେଲେ ବର୍ଷା ଦିନେ ପିଲାଙ୍କୁ ବସାଇ ପାରୁ ନାହୁଁ। ”

ତେବେ ତୁରନ୍ତ ବିଦ୍ୟାଳୟର ମରାମତି କରାଯିବା ନେଇ ଚେଷ୍ଟା କରିବେ ବୋଲି ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ କହିଛନ୍ତି।

By amfnews

Related Post