Sun. Mar 8th, 2026

ବ୍ରହ୍ମ ବିଭ୍ରାଟ ରାଜନୀତି ତେଜିଲା: ବଦଳାଇଦେଲେ ବିଜେଡିର ଫୁଲ୍‌ ଫର୍ମ, ନିରଞ୍ଜନ ପୋଷ୍ଟ କଲେ ଏମିତି କଥା

173 Views

ଭୁବନେଶ୍ୱର, ନଭେମ୍ବର ୧୮: ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟକୁ ନେଇ ଏବେ ପୁଣି ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଘଟଣାର ପ୍ରାୟ ସାଢ଼େ ୩ ବର୍ଷ ପରେ ବ୍ରହ୍ମ ବିଭ୍ରାଟର ରିପୋର୍ଟ ଆସିବା ପରେ ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି।

ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ସମାଲୋଚନାମୂଳକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ବିଜେଡି ହେଉଛି ‘ବାରମ୍ବାର (B) ଜଗନ୍ନାଥଙ୍କ(J) ସହ ଧୋକା(D)’। ବିଜେଡିର ଫୁଲ ଫର୍ମ ବିଜୁ ଜନତା ଦଳ ହୋଇଥିବା ବେଳେ ନିରଞ୍ଜନ ଏହାକୁ ବଦଳାଇ ଦେଇଛନ୍ତି। ତାଙ୍କ ଫେସ୍‌ବୁକ୍‌ ଆକାଣ୍ଟରେ ନିରଞ୍ଜନ ଲେଖିଛନ୍ତି ଯେ, ଦେବଦଳନ ରଥର ‘ମୁଖ୍ୟ ବିଶ୍ଵକର୍ମା’ ବ୍ରହ୍ମପରିବର୍ତ୍ତନ ରେ ହୋଇଥିବା ଅନିୟମିତତାର ଯେଉଁ ଗୁମର ଖୋଲିଲେ ତାହା ଅତ୍ୟନ୍ତ ଭୟଙ୍କର। ଆମ ପବିତ୍ର ନୀତିରେ ବିଜେଡି ସରକାର ଦୁର୍ନୀତି କରି, କୋଟି କୋଟି ପ୍ରଭୁ ଜଗନ୍ନାଥ ଭକ୍ତଙ୍କ ଭାବନାକୁ ଅପମାନିତ କରିଛି।

ସେହିପରି ବିଜେପି ମଧ୍ୟ ବିଜେଡି ବିରୋଧରେ କଡ଼ା ମନ୍ତବ୍ୟ ରଖିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। କହିଥିଲେ “ଦାରୁ ଚିହ୍ନଟରେ ଟଙ୍କା କାରବାର କେବଳ ଧାର୍ମିକ ଭାବନାକୁ ଆଘାତ କରିବାର ଘଟଣା ନୁହେଁ, ଏକ ବିରାଟ ଅପରାଧିକ ଷଡ଼ଯନ୍ତ୍ର ମଧ୍ୟ। ଏ ଅପରାଧିକ ଷଡ଼ଯନ୍ତ୍ର ଓଡ଼ିଆ ଜାତିର ଇଷ୍ଟ, ସାଢ଼େ ୪ କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ବିରୋଧରେ ହୋଇଛି। ଏହା ଏକ ଧାର୍ମିକ ଏବଂ ଅର୍ଥନୈତିକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ରିପୋର୍ଟକୁ ତର୍ଜମା କରି ୧୧ ଜଣଙ୍କୁ ନୋଟିସ୍‌ କରାଯାଇଛି। ଏହି ନୋଟିସ୍‌ ପରେ ବ୍ରହ୍ମ ବିଭ୍ରାଟ ସଂକ୍ରାନ୍ତରେ  ଗୁମର ଖୋଲିବାରେ ଲାଗିଛି। ବ୍ରହ୍ମ ବିଭ୍ରାଟର ରିପୋର୍ଟ ଆସିବା ପରେ ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ସାଂଘାତିକ୍‌ ଅଭିଯୋଗ  ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ନବେକଳବର ବେଳେ ଦାରୁ ଚୟନରେ ଟଙ୍କା କାରବାର ହୋଇଛି। ସେ କହିଛନ୍ତି, “ଯିଏ ଟଙ୍କା ଦେଲା, ତାଙ୍କ ଦାରୁ ଚିହ୍ନଟ ହେଲା।”

By amfnews

Related Post