Tue. Dec 24th, 2024

ବୈଜ୍ଞାନିକ ମନୋଭାବ ବିକାଶ ପାଇଁ ପ୍ରଶିକ୍ଷଣ ଶିବିର

rklsanchar@gmail.com' By J.N. Pradhan Aug 26, 2018 #Featured
268 Views

ରାଉରକେଲା, ୨୬/୮: ବୈଜ୍ଞାନିକ ମନୋଭାବ ବିକାଶ ପାଇଁ ଦାତବ୍ୟ ଟ୍ରଷ୍ଟ କେନ୍ଦ୍ର ତରଫରୁ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ଠାରେ ବୈଜ୍ଞାନିକ ମନୋଭାବ ବିକାଶ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଡ.ଶଶିକାନ୍ତ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଧନେଶ୍ୱର ସାହୁ ଓ ଆଲୋଚକ ଭାବେ ଡ.ଅଜିତ ବେହେରା, ସମାଜସେବୀ ସତ୍ୟପ୍ରିୟ ମହାନ୍ତି, ଅଧ୍ୟାପିକା ରାଜବାଳା ତ୍ରିପାଠୀ, ଡ.ରାମକୃଷ୍ଣ ବିଶ୍ୱାଳ, ସମାଜସେବୀ ବିଘ୍ନେଶ୍ୱର ସାହୁ ଓ ଆଇନ୍ଜୀବୀ ଅର୍ଜୁନ ଚରଣ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଜଗଦା ଆଶ୍ରମର ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ ପରେ ସଭାପତି ଡ.ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇ ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସମାଜସେବୀ ତଥା କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ସାହୁ ବୈଜ୍ଞାନିକ ମନୋଭାବ କ’ଣ ଓ କାହିଁକି ଉପରେ ଆଲୋଚନା କରି କହିଲେ, ଭଗବାନ ମଣିଷକୁ ସୃଷ୍ଟି କରିନାହାନ୍ତି ବରଂ ମଣିଷ ଭଗବାନଙ୍କୁ ସୃଷ୍ଟି କରିଛି । ବିଜ୍ଞାନ ୨ଟି ମୌଳିକ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ । ପ୍ରଥମ ସିଦ୍ଧାନ୍ତ ଯାହା ଘଟୁଛି ତାହା ପ୍ରାକୃତିକ ଘଟଣା । ପ୍ରତ୍ୟେକ ଘଟଣା ସମ୍ପର୍କରେ ଆମେ ଜାଣୁ ବା ନ ଜାଣୁ ପ୍ରାକୃତି କାରଣ ରହିଛି ।

ଏଥିସହ ବିଜ୍ଞାନ ଓ ଟେକ୍ନୋଲୋଜି ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଆଲୋକପାତ କରିଥିଲେ । ବୈଜ୍ଞାନିକ ମନୋଭାବ ଓ ମାନବବାଦ ଉପରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଡ.ଅଜିତ ବେହେରା ବୈଜ୍ଞାନିକ ସୃଷ୍ଟି ତତ୍ତ୍ୱ ଉପରେ ଆଲୋଚନା କରି କହିଲେ, ମଣିଷର ସୃଷ୍ଟି, ସମାଜ ଗଠନ, ଜାତିବାଦ ଓ ଜୀବନ କିପରି ଅତିବାହିତ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ଏହାସହ ସେ ସହିଲେ ଯେ, ପୃଥିବୀ ବାହାରେ ଅନେକ ଜୀବନ ଅଛି । ବର୍ତ୍ତମାନ ଆମେ ବୈଜ୍ଞାନିକ ଯୁଗରେ ଅଛୁ । ତେଣୁ ପ୍ରତ୍ୟେକ ତତ୍ତ୍ୱକୁ ବୈଜ୍ଞାନିକ ଆଧାରିତ ହିସାବରେ ଗ୍ରହଣ କରିବା ଉଚିତ୍ । ଅନ୍ୟତମ ବକ୍ତା ସତ୍ୟପ୍ରିୟ ମହାନ୍ତି ନାରୀ ସଚେତନତା ଉପରେ ବକ୍ତବ୍ୟ ରଖି କହିଲେ ଯେ, ପୁଅ ଓ ଝିଅଙ୍କୁ ସମାନ ଦୃଷ୍ଟିରେ ଦେଖିବା କଥା ।

ପୁରୁଷର ମୁକ୍ତି ନାରୀ ମୁକ୍ତିରେ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ରାଜବାଳା ତ୍ରିପାଠୀ ମଣିଷ ଓ ଜୀବନଗତ ସୃଷ୍ଟି ଉପରେ ଆଲୋକପାତ କରିବା ସହ ବିଭିନ୍ନ ପ୍ରମାଣିକ ତଥ୍ୟ ଉତ୍ଥାପନ କରିଥିଲେ । ଡ.ରାମକୃଷ୍ଣ ବିଶ୍ୱାଳ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରି କହିଲେ ଯେ, ପାଠର ଆବଶ୍ୟକତା ସବୁବେଳେ, ସବୁ ଯୁଗରେ ରହିଛି । ଶିକ୍ଷା ଆହରଣ ପାଇଁ ଜାଣିବାର ମନୋବୃତ୍ତି ଓ ଶୈକ୍ଷିକ ପରିବେଶର ଆବଶ୍ୟକ ରହିଛି । ଏହାସହ ବିଭିନ୍ନ ତଥ୍ୟ ଉପସ୍ଥାପନ କରି ଶିକ୍ଷାର ମୂଲ୍ୟବୋଧ ଉପରେ ବିଶଦ୍ ଆଲୋକପାତ କରିଥିଲେ । ସମାଜସେବୀ ବିଘ୍ନେଶ୍ୱର ସାହୁ ଅନ୍ଧବିଶ୍ୱାସ ଓ ଡାହାଣୀ ଗୁଣିଗାରେଡି ଉପରେ ଆଲୋକପାତ କରି କହିଲେ ଯେ, କୁଶିକ୍ଷା ଓ ଅଜ୍ଞାନ ଅନ୍ଧବିଶ୍ୱାସକୁ ଜନ୍ମଦିଏ ।

ପ୍ରତ୍ୟେକ କଥା ବୈଜ୍ଞାନିକ ମନୋଭାବ ସହ ଗ୍ରହଣ କଲେ ଯାଇ ସମାଜରେ ଅନ୍ଧବିଶ୍ୱାଳ ଦୂର ହୋଇପାରିବ । ଆଇନ୍ଜୀବୀ ଅର୍ଜୁନ ଚରଣ ସାମନ୍ତରାୟ ସାମ୍ବିଧାନିକ ଅଧିକାର ଉପରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ନିଜର ଅଧିକାର ସମ୍ପର୍କରେ ସଚେତନ ହେଲେ ଅନେଗୁଡିଏ ସମସ୍ୟାର ମସାଧାନ ହୋଇପାରିବ ବୋଲି କହିଥିଲେ । ତେବେ ନିଜର ମୌଳିକ ଅଧିକାରକୁ ଜାଣିବା ପାଇଁ ଆଲୋଚନାଚକ୍ରର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତବ୍ୟ ଟ୍ରଷ୍ଟ କେନ୍ଦ୍ରର ୱେବ୍ସାଇଟ୍କୁ ଅତିଥିବୃନ୍ଦ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମ ଚନ୍ଦ୍ର ଷଡଙ୍ଗୀ, ଅଦିତି ବେହେରା, ବାସନ୍ତୀ ଆଚାର୍ଯ୍ୟ, ମହକ କୁଜୁର, ବିକ୍ରମ ନାୟକ, ଅଦ୍ୱୈତ ପ୍ରସାଦ ବିଶ୍ୱାଳ, କୁଞ୍ଜ ବିହାରୀ ରାଉତ, ଗଗନ ବିହାରୀ ଧଳ, କେ.ବନ୍ଦେଶ ସେନାପତି, ଏନ୍ଆଇଟିର ଛାତ୍ରଛାତ୍ରୀ ଓ ଅନୁଷ୍ଠାନର ଅନ୍ତେବାସୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିବାବେଳେ ହେମନ୍ତ ତାନ୍ତିଆ ଧନ୍ୟବାଦ ଦେଇଥିଲେ ।

Related Post