Sun. Nov 24th, 2024

ବୁଲନ୍ଦସହର ହିଂସା: ୩୦୦-୫୦୦ ଲୋକ କରିଥିଲେ ପୋଲିସ ଉପରକୁ ଆକ୍ରମଣ

By amfnews Dec 4, 2018 #Featured
224 Views

ବୁଲନ୍ଦସହର, ଡିସେମ୍ବର ୦୪: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ସୋମବାର ଘଟିଥିବା ହିଂସାକାଣ୍ଡରେ ୩୦୦ରୁ ୫୦୦ ଜଣ ଲୋକ ସାମିଲ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଗୋହତ୍ୟା ସନ୍ଦେହରେ ଉପୁଜିଥିବା ହିଂସାରେ ପୋଲିସ ଇନସପେକ୍ଟର ସୁବୋଧ କୁମାର ସମେତ ଅନ୍ୟ ୨ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାର ଅନ୍ୟତମ ପ୍ରତକ୍ଷ୍ୟଦର୍ଶୀ ସୁରେଶ କୁମାର କହିଛନ୍ତି, ପାଖାପାଖି ୫୦୦ ଜଣ ଲୋକ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ସୁରେଶ କୁମାର କହିଛନ୍ତି, ପ୍ରବଳ ଭିଡ଼ ଯୋଗୁ ରାସ୍ତା ବନ୍ଦ ହୋଇ ଯାଇଥିଲା । ଉତ୍ତେଜିତ ଲୋକମାନେ ପଥରମାଡ଼ କରିଥିଲେ । ସାଧାରଣ ଜନତାଙ୍କ ପଥରମାଡ଼ରେ ପୋଲିସ ଓ ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି । ଏହା ପରେ କ’ଣ ଘଟିଛି ମୁଁ ଜାଣି ନାହିଁ ।

ଅନ୍ୟପଟରେ ପୋଲିସ କହିଛି ହିଂସାକାଣ୍ଡ ସଂପର୍କରେ ସୂଚନା ମିଳିବା ପରେ ପୋଲିସ ବଳ ଘଟଣାସ୍ଥଳରେ ଯଥାଶୀଘ୍ର ପହଞ୍ଚି ଥିଲେ । ଘଟଣାସ୍ଥଳରେ ଏକ ପଶୁକୁ ଖଣ୍ଡ ଖଣ୍ଡ କରାଯାଇଥିବା ଦେଖିବାକୁ ମିଳିଥିଲା । ଲୋକଙ୍କୁ କୁହାଯାଇଥିଲା ଯେ, ପୋଷ୍ଟମର୍ଟମ ପାଇଁ ପଠାଯିବ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା । ଆମର ଟିମ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଲୋକମାନେ ଶୁଣୁ ନଥିଲେ । ଆମେ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲୁ । ସୁରେଶ କହିଛନ୍ତି, ଆକ୍ରମଣରେ ମୃତ୍ୟୁ ହୋଇଥିବା ଇନସପେକ୍ଟର ସୁବୋଧ କୁମାର ତାଙ୍କର ବଡ଼ ଭାଇ ଥିଲେ । ସୁବୋଧ ଜଣେ ଭଲ ମଣିଷ ଥିଲେ ।

ସୂଚନାଯୋଗ୍ୟ ଇନସପେକ୍ଟର ସୁବୋଧ କୁମାର ଅଖଲାକ ତହ୍ୟାକାଣ୍ଡର ତଦନ୍ତକାରୀ ଅଧିକାରୀ ଥିଲେ । ସେ ଯେତେବେଳେ ଜାରଜା ଥାନା ପ୍ରଭାରୀ ଥିଲେ, ସେହି ସମୟରେ ଅଖଲାକ ହତ୍ୟାକାଣ୍ଡର ୨ ମାସ ପର୍ଯ୍ୟନ୍ତ ତଦନ୍ତ କରିଥିଲେ । ପରେ ତାଙ୍କର ବଦଳି ହୋଇଥିଲା । ଏହି ସମୟରେ ଗ୍ରେଟର ନୋଏଡା କୋର୍ଟ ଜାରଚା ଥାନାକୁ ଆଦେଶ ଦେଇଥିଲା ଯେ, ପ୍ରଥମେ ସେ ମାମଲା ରୁଜୁ କରନ୍ତୁ ପରେ ଯାଞ୍ଚ ରିପୋର୍ଟ ଜମା କରନ୍ତୁ । ସେ ଏହି ମାମଲାରେ ୨୦୧୫ ସେପ୍ଟେମ୍ବର ୨୮ରୁ ନଭେମ୍ବର ୯ ଯାଏଁ ତଦନ୍ତକାରୀ ଅଧିକାରୀ ଥିଲେ । ବର୍ଷ ୨୦୧୬ ମାର୍ଚ୍ଚରେ ଅନ୍ୟ ଜଣେ ତଦନ୍ତକାରୀ ଅଧିକାରୀ ଚାଜସିଟ ଫାଇଲ କରିଥିଲେ ।

By amfnews

Related Post