ରାଉରକେଲା, ଜାନୁଆରୀ ୧୩ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ସହରର ବିଶିଷ୍ଟ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଘର ଉପରେ ଚଢ଼ଉ କରିଛି । ଆୟକର ବିଭାଗର ଏକ ୪୦ ଜଣିଆ ଦଳ ରାଉରକେଲାରେ ଚଢ଼ଉ କରିଥିବା ବେଳେ ତାଙ୍କର ସିଭିଲ୍ ଟାଉନ୍ସିପ ସ୍ଥିତ କାର୍ଯ୍ୟାଳୟ, ଯୋଡ଼ା ସ୍ଥିତ ମାଇନ୍ସ, ଭୁବନେଶ୍ୱର ଓ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ଉ ଏକକାଳୀନ କରାଯାଇଥିବା ଜଣାପଡିଛି ।
ସିଭିଲ୍ ଟାଉନସିପ ସ୍ଥିତ ଏକ୍ସ-୫ ଇନ୍ଦ୍ରାଣୀ ପଟ୍ଟନାୟକ ବାସ ଭବନ ଉପରେ ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଆୟକର ବିଭାଗର ଅଧିକାରୀମାନେ ଚଢ଼ଉ କରିଥିଲେ । ଏହି ଚଢଉରେ ଆୟକର ବିଭାଗ ପକ୍ଷରୁ ୬ଟି ଗାଡ଼ିରେ ପ୍ରାୟ ୧୮ ଜଣ ଆୟକର ଅଧିକାରୀ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ କିଛିବର୍ଷ ତଳେ ମଧ୍ୟ ଇଡି ପକ୍ଷରୁ ଅନୁରୂପ ଚଢ଼ଉ କରାଯାଇଥିଲା । ତେବେ ଏହି ଚଢଉ ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ ସେଭଳି କୌଣସି ସୂଚନା ମିଳିପାରିନାହିଁ ।
ଶ୍ରୀ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେଡ଼ି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଭାଇ ହୋଇଥିବା ବେଳେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳରେ ତାଙ୍କ ନାମରେ ଅନେକ ଶିଳ୍ପସଂସ୍ଥା, ଖଣି, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନମାନ ରହିଥିବା ଜଣାପଡ଼ିଛି । ସେହିଭଳି ସିଭିଲଟାଉନସିପ ଅଞ୍ଚଳରେ ଥିବା ଅନ୍ୟ ଖଣି ବ୍ୟବସାୟୀ ରାଜେନ୍ଦ୍ର ଗୁପ୍ତା ଓ ସଞ୍ଜୟ ବଂସଲଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଉକ୍ତ ଚଢ଼ଉ ବେଳେ ଆୟକର ବିଭାଗର ସ୍ୱତନ୍ତ୍ର ସ୍କାଡ୍ କାଗଜପତ୍ର ଆଦି ଯାଞ୍ଚ କରିଥିଲେ ।