
ନୂଆଦିଲ୍ଲୀ,25 Jan. 2019: ୨୦୧୬ ମସିହା ନଭେମ୍ବର ମାସରେ କେନ୍ଦ୍ର ସରକାର ସାରା ଦେଶରେ ବିମୁଦ୍ରିକରଣ ଘୋଷଣା କରିଥିଲେ । ଘୋଷଣା ଅନୁଯାୟୀ, ୧୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ କରାଯାଇଥିଲା । ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶରେ ଚହଳ ପଡିଯାଇଥିଲା । ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବା ପାଇଁ ପଡିଥିବା ବେଳେ ଉଭୟ ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରର କାରବାର ଉପରେ ଏହା ପ୍ରଭାବ ପକାଇଥିଲା ।
ଏହାର ପ୍ରଭାବ ନେଇ ଇଣ୍ଡିଆ ଟୁଡେ ଏବଂ କର୍ବି ଇନସାଇଟସ୍ ପକ୍ଷରୁ ସାରା ଦେଶରେ କରାଯାଇଥିଲା ସର୍ଭେ । ଏହା ଅନୁସାରେ ୭୨ ପ୍ରତିଶତ ଲୋକ ମାନୁଛନ୍ତି ଯେ, ବିମୁଦ୍ରିକରଣ ନିଷ୍ପତ୍ତି ସାଧାରଣ ଲୋକଙ୍କୁ ଲାଭ କମ ବରଂ କ୍ଷତି ବେଶି ପହଞ୍ଚାଇଛି ।

ବିମୁଦ୍ରିକରଣ ପ୍ରଭାବ ଉପରେ ବିସ୍ତୃତ ପ୍ରଶ୍ନକୁ ନେଇ ଇଣ୍ଡିଆ ଟୁଡେ କାର୍ବି ଇନସାଇଟସ୍, ଦେଶର ୯୭ଟି ସଂସଦୀୟ କ୍ଷେତ୍ରରେ ୧୨, ୧୬୬ ଇଣ୍ଟରଭ୍ୟୁ କରିଥିଲା । ଆଉ ଏଥିରେ ୭୨ ପ୍ରତିଶତ ଲୋକମାନଙ୍କ କହିବା କଥା ବିମୁଦ୍ରାକରଣ ଦ୍ୱାରା ଲୋକମାନଙ୍କୁ ଲାଭ ଅପେକ୍ଷା ଅଧିକ କ୍ଷତି ସହିବାକୁ ପଡିଛି ।
୨୦୧୯ ମୁଡ୍ ଅଫ୍ ଦି ନେସନ୍ ସର୍ଭେ ଅନୁସାରେ ୨୦ ପ୍ରତିଶତ ଲୋକଙ୍କ କହିବା କଥା, ନୋଟବନ୍ଦୀ ନିଷ୍ପତ୍ତି ଦ୍ୱାରା ଛୋଟ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା । ସେପଟେ ୧୬ ପ୍ରତିଶତ ଲୋକ ଏହି ନିଷ୍ପତ୍ତି ଦ୍ୱାରା, ବଡ ସଂଖ୍ୟାରେ ଲୋକମାନଙ୍କୁ ନିଜ ଚାକିରି ହରାଇବାକୁ ପଡିଥିବା କହିଛନ୍ତି। ସେହିପରି ୧୪ ପ୍ରତିଶତ ଲୋକଙ୍କ କହିବା କଥା, ବିମୁଦ୍ରାକରଣ ନିଷ୍ପତ୍ତି, ଦେଶର କୃଷକ ମାନଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଥିଲା । ସବୁଠାରୁ ବଡ କଥା ହେଉଛି, ୨୨ ପ୍ରତିଶତ ଲୋକ ଏପରି ଅଛନ୍ତି, ଯେଉଁମାନଙ୍କ କହିବା କଥା, ବିମୁଦ୍ରାକରଣ ନିଷ୍ପତ୍ତି ସମସ୍ତ ଛୋଟ ବ୍ୟବସାୟୀ, ଚାଷୀଙ୍କୁ ପ୍ରଭାବିତ କରିବା ସହ, ଚାକିରିଆ ଲୋକଙ୍କୁ ବେରୋଜଗାର କରିଛି ।