Sun. Jan 12th, 2025

ବିମୁଦ୍ରାକରଣକୁ ପୁରିଲା ୨ ବର୍ଷ, କେଉଁଠି କ’ଣ ପ୍ରଭାବ ପକାଇଛି

By amfnews Nov 8, 2018 #Featured
300 Views

ନୂଆଦିଲ୍ଲୀ, ନଭେମ୍ବର ୮: ଆଜକୁ ଠିକ୍ ଦୁଇ ବର୍ଷ ପୂର୍ବରୁ କଳା ଟଙ୍କା ଗଚ୍ଛିତ ରଖିଥିବା ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଥିଲେ । ଯାହାକି ଲୋକଙ୍କ ନିଦ ହଜାଇ ଦେଇଥିଲା । ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ଘୋଷଣା କରିଥିଲେ । ଫଳରେ ସେହିଦିନ ମଧ୍ୟ ରାତ୍ର ୧୨ଟା ପରେ ସମସ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା । ପୁରୁଣା ୫୦୦ ଟଙ୍କିଆ ବଦଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ୫୦୦ ଟଙ୍କିଆ ପ୍ରଚଳନ କରିଥିଲା । କିନ୍ତୁ ୧୦୦୦ ଟଙ୍କିଆ ନୋଟ୍‌ ସଂପୂର୍ଣ୍ଣଭାବେ ବନ୍ଦ ହୋଇଗଲା । ଏହା ବଦଳରେ ପ୍ରଥମେ ୨୦୦୦ ହଜାର ଟଙ୍କିଆ ପରବର୍ତ୍ତୀ ସମୟରେ ୨୦୦ ଟଙ୍କିଆ ନୋଟ୍‌ ବଜାରକୁ ପ୍ରବେଶ କରିଥିଲା । ତେବେ ବିମୁଦ୍ରାକରଣ ଦ୍ୱାରା କ’ଣ ଲାଭ ହୋଇଛି ଓ କ’ଣ କ୍ଷତି ହୋଇଛି ତାହା ଏବେବି ଦେଶବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନ ହୋଇ ରହିଛି । ଆସନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ବିମୁଦ୍ରାକରଣ ଏକ ରାମ ବାଣ ସଦୃଶ ପାଲଟିଛି ଏବଂ କ’ଣ ବିମୁଦ୍ରାକରଣ ଦ୍ୱାରା ବିଶେଷଭାବେ ପ୍ରଭାବିତ ହୋଇଛି ।

ଆର୍‌ବିଆଇର ସୂଚନା ମୁତାବକ, ଆର୍ଥିକ ବର୍ଷ ୨୦୧୬-୧୭ର ରିପୋର୍ଟ ଅନୁଯାୟୀ ୧୫.୪୪ ଲକ୍ଷ କୋଟି ଟଙ୍କାକୁ ଅବୈଧ ଘୋଷଣା କରାଯାଇଥିଲା । ତେବେ ଏଥିରୁ ୧୫.୩୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ୍‌ ବ୍ୟବସ୍ଥାରେ ଫେରିଛି । ଅର୍ଥାତ ୯୯.୩ ପ୍ରତିଶତ ଟଙ୍କା ଫେରସ୍ତ ହୋଇଛି । ମାତ୍ର ୦.୭ ପ୍ରତିଶତ ଅର୍ଥାତ ୧୦,୭୨୦ କୋଟି ଟଙ୍କାର କୌଣସି ସୂଚନା ମିଳି ନାହିଁ । ୨୦୧୭-୧୮ ବର୍ଷରେ ୨,୭୦୦ କୋଟି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ନଷ୍ଟ ହୋଇଗଲା । ସେହିପରି ପୁରୁଣା ନୋଟ୍‌ ବନ୍ଦ ହୋଇଯିବା ପରେ ନୂଆ ନୋଟ୍‌ ଛପା ଯାଇଥିଲା । ଯାହା ପାଇଁ ଖର୍ଚ୍ଚ ହୋଇଥିଲା ୭,୯୬୫ ଟଙ୍କା । ୨୦୧୭-୧୮ ବିତ୍ତୀୟ ବର୍ଷରେ ନୋଟ୍‌ ଛପା ପାଇଁ ୪,୯୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨୦୧୬-୧୭ ବର୍ଷରେ କେନ୍ଦ୍ରୀୟ ବ୍ୟାଙ୍କର ଆମଦାନୀ ୨୩.୫୬ ପ୍ରତିଶତ ହ୍ରାସ ପାଇଥିଲା ଏବଂ ୧୦୭.୮୪ ପ୍ରତିଶତ ଖର୍ଚ୍ଚ ବଢ଼ିଗଲା ।

ବିମୁଦ୍ରାକରଣର ବଡ଼ ସଫଳତା ଥିଲା ଜାଲ୍‌ ନୋଟ୍‌ ଉପରେ ରୋକ୍‌ ଲଗାଇବା । ୨୦୧୭-୧୮ ଆର୍ଥିକ ବର୍ଷରେ ୫ ଲକ୍ଷ ୨୨ ହଜାର ୭୮୩ ଜାଲ୍‌ ନୋଟ୍‌ ସାମ୍ନାକୁ ଆସିଥିଲା । ଅର୍ଥାତ୍‌ ୩୬.୧ ପ୍ରତିଶତ ଥିଲା । ଯାହା ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ମାତ୍ର ୪.୩ ପ୍ରତିଶତ ଥିଲା । ନୋଟବନ୍ଦୀ ପରେ ଡିଜିଟାଲ ଟ୍ରାଞ୍ଜାକସନ୍‌ ତୀବ୍ର ଗତିରେ ବୃଦ୍ଧି ପାଇଥିଲା । ସେହିପରି ୨୦୧୨ରୁ ଆରମ୍ଭ ହୋଇଥିବା ରୂପେ କାର୍ଡର ଅପୂର୍ବ ସଫଳତା ଦେଖାଦେଇଥିଲା । ଚଳିତବର୍ଷ ଅଗଷ୍ଟମାସ ସୁଦ୍ଧା ରୂପେ କାର୍ଡ ଜରିଆରେ ୪ କୋଟି ୯୬ ଲକ୍ଷ ଟ୍ରାଞ୍ଜାକ୍ସନ୍‌ ଜରିଆରେ ୬୨ ଆରବ୍‌ ୯୦ କୋଟି ଟଙ୍କା ନେଣଦେଣ ହୋଇଛି । ସେହିପରି ଟ୍ୟାକ୍ସ ଆଦାୟରେ ମଧ୍ୟ ବିମୁଦ୍ରାକରଣର ପ୍ରଭାବ ଦେଖିବାକୁ ମିଳିଛି । ଚଳିତ ଅଗଷ୍ଟ ସୁଦ୍ଧା ଏହା ୭୧ ପ୍ରତିଶତକୁ ବୃଦ୍ଧି ପାଇ ୫.୪୨ କୋଟିରେ ପହଁଚିଛି ।

By amfnews

Related Post