Thu. Jan 23rd, 2025

ବିମାନବନ୍ଦରରୁ ୨୪ଲକ୍ଷ ଟଙ୍କାର ସୁନା ଜବତ

By amfnews Mar 4, 2019 #Featured
190 Views

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଜଣେ ମହିଳା ଯାତ୍ରୀଙ୍କଠାରୁ ୭୦୭.୬୭୦ ଗ୍ରାମର ସୁନା ଜବତ ହୋଇଛି। ଏହାର ବଜାର ମୂଲ୍ୟ ୨୩ଲକ୍ଷ ୮୯ହଜାର ୭୯୯ଟଙ୍କା ହେବ ବୋଲି ବିମାନବନ୍ଦରର ସୀମାଶୁଳ୍କ ବିଭାଗ ସୂଚନା ଦେଇଛି। ଭୁବନେଶ୍ବର ବିମାନବନ୍ଦରର ଆସିଷ୍ଟାଣ୍ଟ କମିସନର ଅଫ୍ କଷ୍ଟମ୍‌ସ ବି.ବି ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଆଜି ଜଣେ ମହାରାଷ୍ଟ୍ରର ମହିଳା ଦୁବାଇରୁ ଭାୟା ଦିଲ୍ଲୀ ହୋଇ ଏୟାର ଇଣ୍ଡିଆ ବିମାନ ଏଆଇ-୭୭ରେ ଭୁବନେଶ୍ବର ଆସିଥିଲେ। ସେ ତାଙ୍କ ପରିସ୍ରାଦ୍ବାର ଏବଂ ମଳଦ୍ବାର ନିକଟରେ ତିନିଟି ସୁନା କ୍ୟାପସୁଲ୍‌ ସମେତ ୫ଟି ସୁନା ଖଣ୍ଡକୁ ବ୍ଲାକଟେପ୍‌ରେ ଗୁଡ଼ାଇ ରଖିଥିଲେ। ଯାଞ୍ଚ ସମୟରେ ସୁରକ୍ଷା କର୍ମୀମାନଙ୍କ ସନ୍ଦେହ ହେବାରୁ ମହିଳା ଯାତ୍ରୀଙ୍କୁ ଗୋଟିଏ କୋଠରୀକୁ ନେଇ ଯାଞ୍ଚ କରିଥିଲେ। ତାଙ୍କଠାରୁ ୫ଟି ସୁନା ଖଣ୍ଡ ଜବତ ହୋଇଥିଲା। ଏହି ସୁନା କାହିଁକି ଆଣିଥିଲେ, କେଉଁଠିକୁ ନେଉଥିଲେ, ଭୁବନେଶ୍ବରକୁ କାହିଁକି ଆସିଥିଲେ ସେ ସଂପର୍କରେ ସେ କିଛି କହିପାରିନଥିଲେ। ତେଣୁ ତାଙ୍କୁ ଅଟକ ରଖି କଷ୍ଟମ୍‌ସ ବିଭାଗ ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୧୮ତାରିଖରେ ମହାରାଷ୍ଟ୍ରର ଜଣେ ମହିଳା ଯାତ୍ରୀଙ୍କଠାରୁ କଷ୍ଟମ୍‌ସ ବିଭାଗ ୯୫୯.୯୯୦ ଗ୍ରାମର ୯ଟି ସୁନାଖଣ୍ଡ ଜବତ କରିଥିଲା। ଯାହାର ବଜାର ମୂଲ୍ୟ ୩୩ଲକ୍ଷ ୧୬ହଜାର ୫୭୯ଟଙ୍କା ଥିଲା। ଏହାସହ ୧୨୨ ପ୍ୟାକେଟ୍‌ ଦାମୀ ସିଗାରେଟ୍ ବି ଜବତ କରିଥିଲା। ଲଗାତର ଦୁଇ ଜଣ ମହାରାଷ୍ଟ୍ରର ମହିଳାଙ୍କଠାରୁ ଚୋରା ସୁନା ଜବତ ହୋଇଥିବାରୁ ଚୋରା ସୁନା ଚାଲାଣରେ ମହରାଷ୍ଟ୍ରରେ ବଡ଼ ରୢାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି।

By amfnews

Related Post