Fri. Dec 27th, 2024

ବିଭିନ୍ନ ସ୍ଥାନରେ ବର୍ଷା: କାମାକ୍ଷାନଗରରେ ପୋଲ ଭାସିଲା, ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

By amfnews Aug 16, 2020 #Featured
121 Views

ଭୁବନେଶ୍ୱର, ଅଗଷ୍ଟ ୧୬  : ବିଗତ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ କେନ୍ଦ୍ରାପଡ଼ା ସହର ଜଳାର୍ଣ୍ଣବ ହୋଇଛି । ବିଭିନ୍ନ ରାସ୍ତାରେ ପାଣି ବୋହୁଛି । ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ଏକ ପୋଲ ଭାଙ୍ଗିଯାଇଥିବା ବେଳେ ଘର ମଧ୍ୟ ଭାଙ୍ଗିଯାଇଛି । ନୟାନୀଳକଣ୍ଠପୁର ପୋଲ ଭାସିଯିବାରୁ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି । ବିଭିନ୍ନ ରାସ୍ତାରେ ପାଣି ଚାଲିଥିବା ବେଳେ ଗମନାଗମନ ଘୋର ପ୍ରଭାବିତ ହୋଇଛି ।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲ୍ଲା ଭୁବନ ଜଳାର୍ଣ୍ଣବ ହୋଇିଛି । ପାଣ୍ଡରାନାଳରେ ପ୍ରବଳ ବର୍ଷା ପାଣି ଆସିବାରୁ ୫୩ ନମ୍ବର ଜାତୀୟ ରାଜପଥର ବାଉଁଶକଣ ନିକଟରେ ନିର୍ମାଣଧିନ ନୂତନ ରାସ୍ତା ଭସାଇନେଇଛି । ଏହି କାରଣରୁ ଭୁବନରୁ ସୁକିନ୍ଦା  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଡମଶାଳ ନାଳରେ ବର୍ଷାଜଳ ପ୍ରବାହିତ ହୋଇ ପୋଲ ଉପରେ ୩ ଫୁଟ ଉଚ୍ଚାରେ ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇପଡିଛି । ବାଲିବୋ ଠାରୁ ନୟାନୀଳକଣ୍ଠପୁର ରାସ୍ତାର ୮ କିମି ଠାରେ ପୁରୁଣା ପୋଲ ଉଭୟପାଶ୍ୱର୍ରେ ୪୦ ଫୁଟ ଘାଇ ହୋଇଥିବା ଫଳରେ ୪ଟି ପଂଚାୟତ ବିଚ୍ଛିନ୍ନ ହୋଇପଡିଛି ।

ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଗତ କିଛି ଦିନ ହେବ ବର୍ଷା ଯୋଗୁଁ ଗମାନଗମନ ପ୍ରଭାବିତ ହୋଇଥିବା ବେଳେ ଲୋକେ ଘରୁ ବାହାରକୁ ଯାଇପାରୁ ନାହାନ୍ତି । ପାଙ୍ଗମ, ପୋଟେରୁ, କୋଙ୍କରକୋଣ୍ଡା, ଏମଭି-୩୭ରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଜିଲ୍ଲାର କିଛି ସ୍ଥାନରେ ଥିବା ପୋଲ ଉପରେ ୪ରୁ ୫ ଫୁଟ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଜିଲ୍ଲା ସଦର ମହକୁମାକୁ ବିଭିନ୍ନ ସ୍ଥାନରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

By amfnews

Related Post