Sat. Sep 21st, 2024

ବିଭାଗ ପୂର୍ତ: ରାସ୍ତା ଭୂତ: ଟେଣ୍ଡର ଗୁପ୍ତ

manasranjanbiswal07@gmail.com' By Manas Ranjan Biswal Jun 19, 2018 #Featured
274 Views

ଯାଜପୁର,୧୯/୬: ସ୍ୱଚ୍ଛତା ହେଉଛି ନବୀନ ପଟ୍ଟନାୟକଙ୍କ ସରକାରର ଅସଲ ସାମର୍ଥ୍ୟ । ହେଲେ ଅନେକ କ୍ଷେତ୍ରରେ ଦୁର୍ନିତିଗ୍ରସ୍ତ ପ୍ରଶାସକଙ୍କ ପାଇଁ ସରକାରୀ ଅର୍ଥର ଦୁରୁପଯୋଗ ହେବା ସହ ସରକାର ଜନବିରୋଧୀ ହୋଇ ବିଶ୍ୱାସ ହରାଉଛି । ଏହାର ନମୁନା ସାଜିଛି ଯାଜପୁର ଜିଲ୍ଲାର ପୂର୍ତ ବିଭାଗର ପାଣିକୋଇଲି ଡିଭିଜନରେ ଭୂତ ରାସ୍ତାରେ ଗୁପ୍ତ ଟେଣ୍ଡର, ୩ଟି ରାସ୍ତାରେ ୯୧ ଗୁପ୍ତ ଟେଣ୍ଡର, ୩ କୋଟି ଟଙ୍କାର ଦୁର୍ନିତି ସହ ଅନ୍ୟ କେତେକ ରାସ୍ତାରେ ଗୁପ୍ତ ଟେଣ୍ଡର କରାଯାଇ ଅର୍ଥ ହଡପ କରାଯାଇଛି । ଏଥିନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଘଟଣା ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରାଯାଇଛି ।

ଏହି ଡିଭିଜନ ଅଧୀନରେ କପିଳା ସୟଦପୁର ଭାୟା ଗୁହାଳୀ ବାଙ୍କପାଳ ନାମରେ କୌଣସି ରାସ୍ତା ନଥିବା ବେଳେ ଏଠାରେ ୭ ଟି ଗୁପ୍ତ ଟେଣ୍ଡର ମାଧ୍ୟମରେ ୨୪ ଳକ୍ଷ ଟଙ୍କାର ଦୁର୍ନିତି କରାଯାଇଛି । ୨ ବର୍ଷ ମଧ୍ୟରେ ଯେଉଁ ରାସ୍ତାରେ ଆଦୌ ରାସ୍ତା କାମ ହୋଇନାହିଁ, ସେହି ରାସ୍ତାରେ ୨୦୧୬/୧୭ ଆର୍ଥିକବର୍ଷରେ କାମ ହୋଇଥିବାର ଦର୍ଶାଇ ବହୁଲକ୍ଷ ଟଙ୍କା ହଡପ କରାଯାଇଛି । କୋଟି କୋଟି ଟଙ୍କାର କାମକୁ ନିୟମ ଅନୁସାରେ ଖୋଲା ଟେଣ୍ଡର କରାନଯାଇ ଭାଗ ଭାଗ କରାଯାଇ ୫ ଲକ୍ଷ ଟଙ୍କାରୁ କମ ମୂଲ୍ୟରେ ଶହ ଶହ ଏଫ୨ ମାଧ୍ୟମରେ ଗୁପ୍ତ ଟେଣ୍ଡର କରାଯାଇଛି । ୨୦୧୬/୧୭ ବର୍ଷରେ ବିଂଝାରପୁର ପୂର୍ତ ସବଡିଭିଜନରେ ପ୍ରାୟ ଖୋଲା ଟେଣ୍ଡର କରାଯାଇଥିବାର ଖବର ନଥିବା ବେଳେ ଏଭଳି ଶହ ଶହ ଗୁପ୍ତ ଟେଣ୍ଡର କରାଯାଇଛି । କପିଳା ସୟଦପୁର ରାସ୍ତା ରାସ୍ତା ମରାମତି ନାମରେ ୧୧ ଟି ଗୁପ୍ତ ଟେଣ୍ଡର କରାଯାଇ ୪୨ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଦୁର୍ନିତି କରାଯାଇଛି । ନନ୍ଦିପୁର- ପ୍ରତିପୁର ରାସ୍ତା ମରାମତି ନାମରେ ୧୫ ଟି ଗୁପ୍ତ ଟେଣ୍ଡର କରାଯାଇ ୫୮ ଳକ୍ଷରୁ ଉଦ୍ଧ୍ୱର୍ ଟଙ୍କା ହଡପ କରାଯାଇଛି । ପ୍ରିତିପୁର ଡିହକୂଳା ସିଂପୁର ରାସ୍ତା ମରାମତି ନାମରେ ୩୪ ଟି ଗୁପ୍ତ ଟେଣ୍ଡର କରାଯାଇ ପ୍ରାୟ କୋଟିଏ ଟଙ୍କା ଚଳୁ କରାଯାଇଛି । ଏପରିକି ଗୋଟିଏ ଗୋଟିଏ ଦିନରେ ଜଣେ ଠିକାଦାରଙ୍କ ନାମରେ୧୫ ରୁ ୨୦ ଏଫ-୨ କାମ ପ୍ରଦାନ ସହ କିଛିଦିନ ପରେ ଏହାର ବିଲ ମଧ୍ୟ ଗୋଟିଏ ଦିନରେ ହୋଇଥିବାର କୁହାଯାଉଛି । ଏଠାରେ ବହୁଲକ୍ଷ ଟଙ୍କାର କାମ ହୋଇଥିବା ବେଳେ ଖୋଲା ଟେଣ୍ଡର କରାନଯିବା ଅନ୍ତରାଳରେ କେବଳ ଫଲ୍ସ ବିଲ କରାଯିବା ଏକମାତ୍ର ଲକ୍ଷ । ଏଭଳି କାର୍ଯ୍ୟରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଏଥିନେଇ ଭିଜିଲାନ୍ସ ତଦନ୍ତ କରାଯିବାକୁ ଅନୁରୋଧ କରାଯାଇଛି ।

ଏହି ଅଭିଯୋଗପତ୍ରରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ପୂର୍ତ ସଚିବ ନଳିନୀ ପ୍ରଧାନଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠାପରତା ପ୍ରଶଂସନୀୟ । ହେଲେ ଆମ ସରକାରର ମୂଳ ସାମର୍ଥ୍ୟ ସ୍ୱଚ୍ଛତା ଏଠାରେ ରକ୍ଷା କରାଯାଇ ପାରୁ ନଥିବାରୁ ସରକାର ଜନଅସନ୍ତୋଷର ଶୀକାର ହେଉଛି । ଅଯଥାରେ କେତେକ ଦୁର୍ନିତିଗ୍ରସ୍ତ ଅଧିକାରୀ ଏବଂ ଠିକାଦାରଙ୍କୁ ମାଲେମାଲ କରିବା ପାଇଁ ସରକାର ଜନବିରୋଧୀ ହେଉଛି । ପୂର୍ବରୁ ଏହି ଡିଭିଜନର କେତେକ ଦୁର୍ନିତି ନେଇ ତଥ୍ୟ ଭିତିକ ଅଭିଯୋଗ କରାଯାଇ ଥିଲେ ମଧ୍ୟ ଗୋଟିଏ ହେଲେ ଅଭିଯୋଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଡିଭିଜନରେ ଗୁପ୍ତ ଟେଣ୍ଡର ତଥା ଏଫ -୨ ମାଧ୍ୟମରେ ବ୍ୟାପକ ଅର୍ଥ ହରିଲୁଟ ନେଇ ହୋଇଥିବା ଅଭିଯୋଗକୁ ଭିତି କରି ବିଭାଗୀୟ ଅଣ୍ଡର ସେକ୍ରେଟାରୀ ଏସ.ଖଟୁଆ ଗତ ତା୧୭.୦୪.୧୮ ରିଖରେ ପତ୍ର ନଂବର ୫୬୯୫ ଡି.ପି.ଆଇ ଏଣ୍ଡ ରୋଡ୍ସର ମୁଖ୍ୟଯନ୍ତ୍ରୀଙ୍କୁ ପତ୍ର ଦେଇ ତଦନ୍ତ ଦାୟୀତ୍ୱ ପ୍ରଦାନ କରିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଅଦ୍ୟାବଧି ଗ୍ରହଣ କରାଯାଇନାହିଁ । କୁଆଖିଆ–ଜେନାପୁର ସେତି ନିର୍ମାଣରେ ଆଖିବୁଜା ଦୁର୍ନିତି, ବ୍ୟାପକ ଅନିୟମିତତା, ନିମ୍ନ ମାନର କାର୍ଯ୍ୟ, ଶ୍ରମିକ ମଜୁରୀ ନେଇ ହୋଇଥିବା ବହୁ ତଥ୍ୟ ଭିତିକ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାର୍ଯ୍ୟାନୁଷ୍ଠାନ ପାଇଁ ଆସିଥିବା ନିର୍ଦ୍ଦେଶକୁ ପାଣିକୋଇଲି ଡଭିଜନ ଚାପି ଦେଇଛି । ଏଠାରେ କାର୍ଯ୍ୟରତ ନିର୍ବାହୀଯନ୍ତ୍ରୀ କୁଆଡେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ପ୍ରଭାବିତ କରି ରଖିଥିବାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ସମ୍ବବ ନୁହେଁ ବୋଲି ପ୍ରଚାର କରୁଛନ୍ତି ।

ତେବେ ଏଠାରେ ବିଭିନ୍ନ ଘଟଣାରେ ପୂର୍ତ ବିଭାଗ ତରଫରୁ ଢେଙ୍କାନାଳ ଏସ.ଇଙ୍କୁ ତଦନ୍ତ ଦାୟୀତ୍ୱ ଦିଆଯାଉଥିଲେ ବି ଏଥିନେଇ କୌଣସି ସୁଫଳ ମିଳୁନାହିଁ । ବରଂ ଦୁର୍ନିତିକୁ ଚପାଇବାକୁ ଅଧିକ ଦୁର୍ନିତି କରିବାର ଏକ ସୁଯୋଗ ମିଳି ଯାଉଛି ବୋଲି ମଧ୍ୟ ଗୁରୁତର ଅଭିଯୋଗ ହେଉଛି । ଏଥିନେଇ ବିଭାଗୀୟ ସଚିବ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି ।

Related Post