ନୂଆଦିଲ୍ଲୀ , 28 Jan. 2019: ଉତ୍ତରାଖଣ୍ଡରେ ଏକ ବିବାହରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ବର ସହ ଘରୁ ୮୦ ଜଣ ବରଯାତ୍ରୀ କନ୍ୟା ଘର ପାଇଁ ବାହାରିଥିବା ବେଳେ କେବଳ ୨୫ଜଣ କନ୍ୟା ଘରେ ପହଞ୍ଚି ପାରିଥିଲେ । ଏହା ସହ ବର କୌଣସି କାର୍ରେ ନ ଯାଇ ୬ କିଲୋମିଟର ଚାଲି ଚାଲି କନ୍ୟା ଘରେ ପହଞ୍ଚିଥିବା ସୂଚନା ମିଳିଛି । ଭାରୀ ବରଫ ବର୍ଷା ହେତୁ ଏପରି ଘଟିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ତ୍ରିୟୁଗିନାରାୟଣ ଗାଁରୁ ରଜନୀଶଙ୍କ ବରଯାତ୍ରୀ ରୁଦ୍ରପ୍ରୟାଗରେ ଥିବା ମୁକ୍କୁ ମଠକୁ ବାହାରିଥିଲା । ରଜନୀଶଙ୍କ ସହ ୮୦ଜଣ ବରଯାତ୍ରୀ ତାଙ୍କ ସହ ଘରୁ ବାହାରିଥିଲେ । କିନ୍ତୁ ବାଟରେ ବରଫପାତ ହେବାରୁ ରାସ୍ତା ଜାମ୍ ହୋଇ ଯାଇଥିଲା । ରାସ୍ତାରେ ବରଫ ଜମି ଯିବାରୁ ଲୋକମାନେ ଜାମ୍ରୁ ବାହାରି ଯାଇ ପାରି ନ ଥିଲେ । ଏହା ପରେ ଯେତିକି ଲୋକ ବିବାହକୁ ଯିବା ଅତ୍ୟନ୍ତ ଜରୁରୀ ସେତିକି ଲୋକ ଯାଆନ୍ତୁ ବୋଲି ରଜନୀଶଙ୍କ ପରିବାର ଲୋକେ ନିଷ୍ପତ୍ତିି ନେଇଥିଲେ । ଏହାପରେ ମାତ୍ର ୨୫ଜଣ ଲୋକ କନ୍ୟା ଘରେ ପହଞ୍ଚି ପାରିଥିଲେ । ବର ସମେତ ୨୫ଜଣ ଚାଲି ଚାଲି ୬ କିଲୋମିଟର ବାଟ ଅତିକ୍ରମ କରି କନ୍ୟା ଘରେ ପହଞ୍ଚି ବିବାହ କାମ ସାରିଥିଲେ ବୋଲି ଜଣାପଡ଼ିଛି ।