Mon. Nov 25th, 2024

ବିଦ୍ୟୁତ୍‌ ବିଭାଗର ୬ ଲାଞ୍ଚୁଆ ଅଧିକାରୀ ନିଲମ୍ବିତ

By amfnews Nov 23, 2019 #Featured
156 Views

ଭୁବନେଶ୍ବର : ଶକ୍ତି ବିଭାଗର ବାବୁଙ୍କୁ ଅର୍ଥ ଲାଳସା ମହଙ୍ଗା ପଡ଼ିଛି। ରାତାରାତି ମାଲାମାଲ୍ ହେବାର ନିଶାରେ ଫସିଛନ୍ତି ବିଦ୍ୟୁତ୍‌ ବିଭାଗର ୬ ଜଣ ଲାଞ୍ଚୁଆ ଅଧିକାରୀ। ‘ଅପରେସନ୍‌ ବ୍ଲାକଆଉଟ୍’ରେ ଲାଞ୍ଚ ନେବାକୁ ଡିଲ୍‌ କରିଥିବା ସେସୁ ଓ ସାଉଥ୍‌କୋର ଏହି ୬ଜଣ ବାବୁଙ୍କ ଅସଲ ମୁଖା ଖୋଲିଯାଇଛି। ଆଉ ସେମାନଙ୍କ କଳା କାରନାମା ଆଜି ‘କନକ ନ୍ୟୁଜ୍‌’ରେ ପ୍ରସାରିତ ହେବା ପରେ ଶକ୍ତି ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି। ଯେଉଁ ଅଧିକାରୀମାନେ କ୍ୟାମେରାରେ କଏଦ୍‌ ହୋଇଛନ୍ତି, ମାତ୍ର ଦୁଇ ଘଣ୍ଟା ମଧ୍ୟରେ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିର୍ଦେଶ ଦେଇଛନ୍ତି।

ଶକ୍ତି ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏନେଇ ଚିଠି ଲେଖିଛନ୍ତି। ସେସୁ ଓ ସାଉଥ୍‌କୋ ସବ-ଡିଭିଜନ୍‌ର ଦୁର୍ନୀତିଖୋର୍‌ ଅଫିସର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦେଶ ଦେଇଛନ୍ତି। ସେମାନଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଶ୍ରୀ ସେଠୀ କହିଛନ୍ତି। ଆହୁରି କହିଛନ୍ତି ଯେ ଅଧିକାରୀମାନେ ଇନ୍‌ଭଟର ବେପାର କରିବାକୁ ବାହାର ସଂସ୍ଥା ତଥା କମ୍ପାନିଠାରୁ ଲାଞ୍ଚ ନେଉଥିବା କ୍ୟାମେରାରେ କଏଦ୍‌ ହୋଇଛି। ପାୱାର-କଟ୍‌ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଏଭଳି କାର୍ଯ୍ୟକଳାପ ‌ହେଉଛି ଏକ ଅପରାଧ। ଯେଉଁ ଅଧିକାରୀମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ନିଲମ୍ବନ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଅ। ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବାକୁ ‘ସେସୁ’ର ସିଇଓ ଓ ସାଉଥ୍‌କୋର ଅଧିକାରୀଙ୍କୁ ଶ୍ରୀ ସେଠୀ ନିର୍ଦେଶ ଦେଇଛନ୍ତି।

ଆଜି ପୂର୍ବାହ୍ନରେ ‘ଅପରେସନ୍ ବ୍ଲାକଆଉଟ୍‌’ କନକ ନ୍ୟୁଜ୍‌ରେ ପ୍ରସାରିତ ହେବାର କିଛି ସମୟ ମଧ୍ୟରେ ୩ ଲାଞ୍ଚୁଆ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ନିର୍ଦ୍ଦେଶ ଦେଇଥିଲେ ‘ସେସୁ’ ସିଇଓ ଅରୁଣ ବୋଥ୍ରା। କନକ ନ୍ୟୁଜ୍‌ରେ ବାବୁମାନଙ୍କ କଳା‌ କାରନାମା ପ୍ରସାରିତ ହେଉଥିବାବେଳେ ସେସୁ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ବୈଠକ ବସିଥିଲା। ଭିଡିଓ କ୍ଲିପ୍‌ରେ ଥିବା ପ୍ରତିଟି ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା। କ୍ୟାମେରା ଲେନ୍ସରେ ସତ ଉନ୍ମୋଚନ ହେବା କ୍ଷଣି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସବଡିଭିଜନର ଜେଇ ଅଭିମନ୍ୟୁ ଜେନା, ଭୁବନେଶ୍ୱର ଭିଏସଏସ୍ ନଗରର ଜେଇ ସୁବ୍ରତ ଦାସ ଓ ଭୁବନେଶ୍ୱର ବରମୁଣ୍ଡା ସବଡିଭିଜନ୍ ଜେଇ ସୁବ୍ରତ ମିଶ୍ରଙ୍କୁ ଶ୍ରୀ ବୋଥ୍ରା ନିଲମ୍ବନ କରିଥିଲେ। ପରେ ପରେ ଜଟଣୀ ଜେଇ ସୁବ୍ରତ ତ୍ରିପାଠୀଙ୍କ କରାନାମା ପ୍ରସାରଣ ପରେ ସେ ମଧ୍ୟ ନିଲମ୍ବିତ ହୋଇଥିଲେ।

ଅପରାହ୍‌ଣରେ ସାଉଥ୍‌କୋ ଅଧୀନରେ ଆସୁଥିବା ଗୁଣୁପୁର ଓ ନବରଙ୍ଗପୁର ସବଡିଭିଜନ୍‌ର ଅଧିକାରୀମାନଙ୍କ କାରନାମା ପଦାକୁ ଆସିଥିଲା। ଜଣକ ପରେ ଜଣେ ଅଧିକାରୀଙ୍କ ଲାଞ୍ଚ କାରବାର କନକ ନ୍ୟୁଜ୍‌ରେ ପ୍ରସାରିତ ହେବା ପରେ ଶକ୍ତି ବିଭାଗ ସଚିବ ଶ୍ରୀ ସେଠୀ ତତ୍ପରତା ପ୍ରକାଶ କରିଥିଲେ। ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ‘କନକ୍‌ ନ୍ୟୁଜ୍‌’ରେ ପ୍ରସାରିତ ‘ଅପରେସନ୍ ବ୍ଲାକଆଉଟ୍‌’ରେ ଧରା ପଡ଼ୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେ‌ବାକୁ ନିର୍ଦେଶ ଦେଇଥିଲେ। ଏହି ୬ଜଣଙ୍କ ବ୍ୟତୀତ ଗଜପତିରେ ଅବସ୍ଥାପିତ ସାଉଥ୍‌କୋର ଜଣେ ସଚ୍ଚୋଟ ଅଧିକାରୀ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକଙ୍କ ବିଷୟରେ ବି ଖବର ପ୍ରସାରିତ ହୋଇଥିଲା, ଯିଏକି କମ୍ପାନିର ଏଭଳି ଲାଞ୍ଚ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ଅନ୍ୟପକ୍ଷରେ ‘କନକ ନ୍ୟୁଜ୍‌’ର ଏହି ଖବରକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଅପରେସନ୍ ବ୍ଲାକ୍‌ଆଉଟ୍ ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି ବିଜେପି ଓ କଂଗ୍ରେସ ଦଳର ବିଧାୟକମାନେ କହିଛନ୍ତି। ବିଜେପି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ। ଯେଉଁମାନେ ଏଭଳି କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଯିବ। ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ‌ଯେ ରାଜ୍ୟରେ ବିଜୁଳି ଶାସନ ହୁଗୁଳି ଗଲାଣି। ରାଜ୍ୟ ସରକାର ଏକ ଦୀର୍ଘକାଳ ମିଆଦିରେ ରାଜ୍ୟ ବାହାର କମ୍ପାନିମାନଙ୍କୁ ବିଦ୍ୟୁତ ପରିଚାଳନା ଦାୟିତ୍ୱ ଦେଇଛନ୍ତି। ଏହା ବେସରକାରୀ ହେବା ପରେ ଯେଉଁମାନେ ବିଦ୍ୟୁତ୍ ସଂଚାଳନ ଦାୟିତ୍ୱ‌ରେ ଅଛନ୍ତି, ସେମାନଙ୍କର ବିଭିନ୍ନ ଇନଭର୍ଟର୍‌ କମ୍ପାନି, ଶିଳ୍ପ ଉଦ୍ୟୋଗ ସହ ସଲାସୁତୁରା ଚାଲିଛି। ଫଳରେ ସାଧାରଣ ଉପଭୋକ୍ତା ଦଣ୍ଡିତ ହେଉଛନ୍ତି। ଯେଉଁମାନଙ୍କ ଘରେ ଗୋଟିଏ ବଲବ୍‌ ବି ଜଳୁନି, ସେଠି ତାଙ୍କ ନିକଟକୁ ଶହ ଶହ ଟଙ୍କାର ବିଲ୍‌ ଆସୁଛି। ପୂର୍ବରୁ ବ୍ରିଟିସ କମ୍ପାନି ଦେଶକୁ ଲୁଟ୍ କରୁଥିଲେ। ଆଉ ଏବେ ବିଜୁଳି ବିତରକ କମ୍ପାନି ଲୋକଙ୍କୁ ଲୁଟୁଛନ୍ତି। ଧରା ପଡ଼ିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ମଧ୍ୟ ଶକ୍ତି ବିଭାଗର କରିତ୍‌କର୍ମା ବାବୁମାନଙ୍କ କାରନାମାକୁ ନିନ୍ଦା କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସୋମବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ମତପ୍ରକାଶ କରିଛନ୍ତି। ଉଭୟ ବିରୋଧୀ ଦଳର ବିଧାୟକମାନେ କନକ ନ୍ୟୁଜ୍‌ର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।

By amfnews

Related Post