Tue. Mar 10th, 2026

ବିଦେଶ ବୁଲିବାକୁ ଯାଇ ୭ ବ୍ୟବସାୟୀ ହଟହଟା, ଦିନକ ପରେ ଓଡ଼ିଶା ଫେରି‌େଲ

172 Views

ରାଉରକେଲା: ସମସ୍ତ ଆନୁସଙ୍ଗିକ କାଗଜପତ୍ର ଥିଲା। ଯେଉଁ ଉଦ୍ଦେଶ୍ୟରେ ବ୍ୟାଙ୍କକ୍‌ ଯାଉଥିଲେ ଏବଂ ରହିବା ସ୍ଥାନ ବିବରଣୀ ସମେତ ସମସ୍ତ ନଥିପତ୍ର ଦେଖାଇଥିଲେ। ତଥାପି ବ୍ୟାଙ୍କ୍‌କ ଏୟାରପୋର୍ଟ ପୁଲିସ ଥାଇଲାଣ୍ଡ ଭିତରକୁ ଛାଡ଼ିନଥିଲା। ୭ ଜଣ ଯାତ୍ରୀଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ପୁଲିସ ଷ୍ଟେସନରେ ରଖାଯାଇ କୋଲକାତା ପଠାଇ ଦିଆଯାଇଥିଲା। ଏଭଳି ଭାବେ ସୁଦୂର ବ୍ୟାଙ୍କ୍‌କରେ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି ସୁନ୍ଦରଗଡ଼ର ୭ ଜଣ ବ୍ୟବସାୟୀ।

ବ୍ୟବସାୟରେ ଉନ୍ନତମାନର ପ୍ରଦର୍ଶନ ଦେଖି ସାନିଟେସନ ପାଇପ୍‌ କମ୍ପାନି ‘ଗଙ୍ଗା’ ପକ୍ଷରୁ ୬ ଦିନିଆ ବ୍ୟାଙ୍କ୍‌ ଗସ୍ତ ପାଇଁ ଅଫର ଦିଆଯାଇଥିଲା। ଏଥିରେ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତର ୩୫ ଜଣ ବ୍ୟବସାୟୀ ସାମିଲ ଥିଲେ। ଗସ୍ତ ବେଳେ କମ୍ପାନିର କିଛି କର୍ମଚାରୀ ମଧ୍ୟ ସାମିଲ ଥିଲେ। ଏହି ବ୍ୟବସାୟୀମାନେ ଗତ ୧୦ ତାରିଖ ରାତି ପ୍ରାୟ ୨ଟାରେ କୋଲକାତାରୁ ସ୍ପାଇସ୍‌ ଜେଟ୍‌ରେ ବ୍ୟାଙ୍କକ୍‌ ଅଭିମୁଖେ ବାହାରିଥିଲେ। ସେମାନେ ବ୍ୟାଙ୍କ୍‌କ ଏୟାରପୋର୍ଟ୍‌ରେ ଭୋର୍‌ ପ୍ରାୟ ସାଢ଼େ ୪ଟାରେ ପହଞ୍ଚିଥିଲେ। ସେଠାରେ ଯାଞ୍ଚବେଳେ ଏୟାରପୋର୍ଟ ପୁଲିସ ରାଉରକେଲାର ମୁକେଶ ଅଗ୍ରୱାଲ, ବିପିନ ଅଗ୍ରୱାଲ, ବୀରମିତ୍ରପୁରର କହ୍ନୈୟା ଧୱଲିଆ, ରାଜଗାଙ୍ଗପୁରର ପ୍ରଶାନ୍ତ ପଣ୍ଡା, ସଂଜୟ ଲୋହାରୀ ଓ ଓରାମ ପଡ଼ାର ଜଣେ ବ୍ୟବସାୟୀଙ୍କ ସମେତ ପାଇପ୍‌ କମ୍ପାନିର ଜଣେ କର୍ମଚାରୀଙ୍କୁ ଅଟକ ରଖିଥିଲା। ବ୍ୟବସାୟୀମାନେ ବ୍ୟାଙ୍କ୍‌କ ଯିବାର ଉଦ୍ଦେଶ୍ୟ, ରହଣି ପାଇଁ ବୁକିଂ ହୋଇଥିବା ହୋଟେଲର ଠିକଣା ସମେତ ସମସ୍ତ ଆନୁସଙ୍ଗିକ କାଗଜପତ୍ର ଦେଖାଇଥିଲେ।

ତଥାପି ଏୟାରପୋର୍ଟ ପୁଲିସ ଏମାନଙ୍କୁ ଛାଡ଼ିବାକୁ ମନା କରିଦେଇଥିଲା। ପରେ ଥାଇ ଭାଷାରେ ଲେଖାଥିବା ଏକ ଅଣ୍ଡରଟେକିଂରେ ସ୍ବାକ୍ଷର କରିବାକୁ ନିର୍ଦ୍ଦେଶ ଦେଇଥିଲା। ଉକ୍ତ ଅଣ୍ଡରଟେକିଂରେ ଇଂରାଜୀରେ କେବଳ ‘ଆମେ କାମ କରିବାକୁ ଯାଉଛୁ’ ଉଲ୍ଲେଖ ହୋଇଥିଲା। ଅଣ୍ଡରଟେକିଂ ଦସ୍ତଖତ କରିବାକୁ କିନ୍ତୁ ବ୍ୟବସାୟୀମାନେ ମନା କରିଦେଇଥିଲେ। କିଛି ସମୟ ପରେ ସମସ୍ତ ୭ ଜଣଙ୍କୁ ଏୟାରପୋର୍ଟ ପୁଲିସ ଷ୍ଟେସନରେ ବନ୍ଧକ ରଖାଯାଇଥିଲା। ଏ ସମ୍ପର୍କରେ ବ୍ୟବସାୟୀମାନେ ପରିବାରବର୍ଗଙ୍କୁ ସୂଚନା ଦେଇଥିଲେ। ପରେ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ, ବ୍ୟାଙ୍କକ୍‌ ସ୍ଥିତ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା। ପ୍ରାୟ ୨୪ ଘଣ୍ଟା ଧରି ପୁଲିସ ହାଜତରେ ରହିବାପରେ ତା’ ପରଦିନ, ଅର୍ଥାତ୍‌ ୧୧ ତାରିଖ ଭୋର ୫ଟାରେ ସମସ୍ତଙ୍କୁ କୋଲକତା ଫେରିଯିବାକୁ ଅନୁମତି ଦେଇଥିଲେ।

By amfnews

Related Post