ଭୁବନେଶ୍ବର : ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଏହି କ୍ରମରେ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢ଼ୁଥିବା ବେଳେ ବିଜେପୁର ଉପନିର୍ବାଚନ ପାଇଁ ତିନି ରାଜନୈତିକ ଦଳର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି ହୋଇଛି ।
ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ସମାନ ସଂଖ୍ୟକ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛନ୍ତି । ଶାସକ ବିଜୁ ଜନତା ଦଳର ପ୍ରଚାର ମଙ୍ଗ ଧରିବେ ସ୍ବୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଏକ ନମ୍ବର ପ୍ରଚାରକ ଭାବେ ସ୍ଥାନ ଦେଇଛି ଦଳ । ଆସନ୍ତା ୧୭ ଓ ୧୮ ତାରିଖରେ ନବୀନ ବିଜେପୁରରେ ପ୍ରଚାର କରିବେ । ନବୀନଙ୍କ ସହିତ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଦେବୀ ମିଶ୍ର, ନବଦାସ , ବିକ୍ରମ ଆରୁଖ, ନିରଂଜନ ପୂଜାରୀ ପ୍ରମୁଖ ରହିଛନ୍ତି ।