Thu. Nov 7th, 2024

ବିଜେପିକୁ ଝଟକା: ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ କଂଗ୍ରେସ ଆଗୁଆ, ଭାଙ୍ଗିବ ବିଜେପି ଗଡ଼

By amfnews Dec 11, 2018 #Featured
253 Views

ନୂଆଦିଲ୍ଲୀ, ଡିସେମ୍ବର୧୧ : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ମତଦାନ ଜାରି ରହିଛି। ବର୍ତ୍ତମାନ ଯାହା ଟ୍ରେଣ୍ଡ ରହିଛି ରାଜସ୍ଥାନ,  ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ କଂଗ୍ରେସ ଆଗୁଆ ରହିଥିବା ବେଳେ ବିଜେପି ବହୁ ପଛରେ ପଡ଼ି ଯାଇଛି। କିଛି ଦିନ ତଳେ ହୋଇଥିବା ଏକଜିଟ୍ ପୋଲ୍ ସତ୍ୟ ସାବ୍ୟସ୍ତ ହେବାରେ ଲାଗିଛି। ଟ୍ରେଣ୍ଡରୁ ଯାହା ଜଣା ପଡ଼ୁଛି ବିଜେପି ହାତରୁ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଖସିବାକୁ ଯାଉଛି। ଦୀର୍ଘ ୧୫ ବର୍ଷ ଧରି ଛତିଶଗଡ଼ରେ କ୍ଷମତାସୀନ ଥିବା ବିଜେପି ଏଥର ନିର୍ବାଚନ ହାରିବାକୁ ଯାଉଥିବା ପ୍ରାରମ୍ଭିକ ମତଗଣନାରୁ ଜଣା ପଡିଛି। ସେହିଭଳି ପ୍ରତ୍ୟେକ ଥର ପରି ଏଥର ମଧ୍ୟ ରାଜସ୍ଥାନରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ସବୁଠୁ ବଡ଼ ଝଟକା ବିଜେପିକୁ ମଧ୍ୟ  ପ୍ରଦେଶରେ ଲାଗିବାକୁ ଯାଉଛି। ଏହି ତିନୋଟି ହିନ୍ଦୀ ଭାଷା ଭାଷି ରାଜ୍ୟରେ ପରାଜିତ ହେଲେ ବିଜେପିକୁ ଲୋକସଭା ନିର୍ବାଚନ ପୂର୍ବରୁ ଶକ୍ତ  ଧକ୍କା ଲାଗିବ।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ କୁହାଯାଉଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରୁ ମିଳିଛି ପରିବର୍ତ୍ତନର ସଙ୍କେତ। ଏହି ନିର୍ବାଚନର ଆନୁଷ୍ଠାନିକ ଫଳାଫଳ ଆଉ କେଇ ଘଣ୍ଟା ପରେ ଜଣା ପଡ଼ିବ। ଏ ପର୍ୟ୍ୟ ନ୍ତ କଂଗ୍ରେସ ଆଗୁଆର ରହୁଥିବା ମତଗଣନା ଟ୍ରେଣ୍ଡରୁ ଜଣା ପଡ଼ିଛି।

ଏପର୍ୟ୍ୟିନ୍ତ ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି। ରାଜସ୍ଥାନରରେ କଂଗ୍ରେସ ବହୁମତ ସହ ସରକାର ଗଠନ କରିପାରେ। ଅନ୍ୟ ପଟେ ଛତିଶଗଡ଼ରେ ମଧ୍ୟ  କଂଗ୍ରେସ ବିଜେପିକୁ ପଛରେ ପକାଇ ସରକାର ଗଠନ କରିବାକୁ ଯାଉଛି। ତେଲଙ୍ଗାନାରେ ଟିଆରଏସର ବିଜୟ ଆପାତଃ ନିଶ୍ଚିତ ଲାଗୁଛି। ସବୁ ପୋଲରେ ଦଳକୁ ଅଧିକ ସିଟ୍ ମିଳିଛି। ଏହି ପରି ମିଜୋରାମରେ କଂଗ୍ରେସ-ଏମଏନଏଫ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦୀତା ହେଉଥିବା ଦେଖାଯାଇଛି।

ମଧ୍ୟ ପ୍ରଦେଶ

ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରାରମ୍ଭିକ ମତଗଣନା ସମୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମାତ୍ର ସଦ୍ୟତମ ସୂଚନା ମୁତାବକ  କଂଗ୍ରେସ 116 ସିଟ୍ ସହିତ ବହୁ ଅାଗରେ ରହି ସରକାର ଗଠନ କରିବାର ସମ୍ଭାବନା ସୃଷ୍ଟି କରିଛି। ଅନ୍ୟ ପଟେ ବିଜେପି 99 ଓ ଅନ୍ୟାନ୍ୟ 15ଟି ସିଟରେ ଆଗୁଆ ରହିଛି। ଏଠାରେ କିଏ ପିନ୍ଧିବ ବିଜୟ ମୁକୁଟ ତାହା ଅାଉ କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ।

ଏହି ରାଜ୍ୟରେ ନଭେମ୍ବର ୨୮ରେ ସମସ୍ତ ୨୩୦ ସିଟରେ ମତଦାନ ହୋଇଥିଲା। ଏହି ରାଜ୍ୟରେ ବିଜେପି ଗତ ୧୫ ବର୍ଷ ହେବ କ୍ଷମତାରେ ରହି ଆସିଛି।  ଶିବରାଜ ସିଂହ ଚୌହ୍ଵାନ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ସମସ୍ତ ଶକ୍ତି ନିର୍ବାଚନରେ ଖଟାଇଛନ୍ତି। ମାତ୍ର ଆଜି ଆସିଥିବା ମତଗଣନା ଅନୁଯାୟୀ  ବିରୋଧୀ କଂଗ୍ରେସ ବିଜେପିକୁ ମାତ୍ ଦେଇ କ୍ଷମତାସୀନ ହେବାକୁ ଯାଉଛି।

୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଗଣନା ସକାଳ ୮ଟାରୁ ଆରମ୍ଭ ହୋଇ ଯାଇଛି। ମତଗଣନା ପ୍ରାୟ ୨୨ ଟି ରାଉଣ୍ଡରେ ପୂରା ହେବ। ଏଥିପାଇଁ ପ୍ରାୟ ୧୫ ହଜାର ଅଧିକାରୀ ଓ କର୍ମଚାରୀଙ୍କୁ  ନିୟୋଜିତ କରାଯାଇଛି।  ଏମପିରେ ମୋଟ୍ ୫୧ଟି ମତଗଣନା କେନ୍ଦ୍ରରେ ମତଗଣନା ଜାରି ରହିଛି। ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ମତଗଣନା କେନ୍ଦ୍ର ବନାଯାଇଛି।  ଏଠାରେ ଡିସେମ୍ବର ୨୮ରେ ମତଦାନ ହୋଇଥିଲା। ପ୍ରାୟ ୭୫ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ।  ମଧ୍ୟ ପ୍ରଦେଶରେ ୨୮୯୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଏଥିରେ ୨୫୦ ମହିଳା ଓ ୫ ଜଣ ଥାର୍ଡ ଜେଣ୍ଡର ପ୍ରାର୍ଥୀ ସାମିଲ।

ଗତ ୧୫  ବର୍ଷ ହେବ ଏଠାରେ ଶିବରାଜ ସିଂହ ଚୌହ୍ଵାନଙ୍କ ନେତୃତ୍ଵରେ ବିଜେପି କ୍ଷମତାସୀନ ରହିଛି। ମାତ୍ର ଏଥର ଏକଜିଟ୍ ପୋଲ ମୁତାବକ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ।

ରାଜସ୍ଥାନ

ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦିତା ହେଉଥିବା ବେଳେ ରାଜସ୍ଥାନରେ ବିଜେପିକୁ ଜୋରଦାର ଝଟକା ଲାଗିବାକୁ ଯାଉଛି। ଏଠାରେ କଂଗ୍ରେସକୁ ବହୁମତ ମିଳୁଥିବା ମତଗଣନାରୁ ଜଣା ପଡିଛି।  ଏ ପର୍ୟ୍ୟ ନ୍ତ କଂଗ୍ରେସ ୧୦୮ଟି ସିଟରେ ଆଗୁଆ ଥିବା ବେଳେ ବିଜେପି ୭୬ଟି ସିଟରେ ଆଗୁଆ ରହିଛି। ମତଦାନର ପ୍ରାରମ୍ଭିକ ଟ୍ରେଣ୍ଡ ମୁତାବକ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି।

ରାଜସ୍ଥାନରେ ଗତ ଶୁକ୍ରବାର ସମସ୍ତ ୨୦୦ ସିଟରେ  ମତଦାନ ପ୍ରକ୍ରିୟା ପୂରା ହୋଇଥିଲା। ଏଥର ୭୦ରୁ ଅଧିକ ପ୍ରତିଶତ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ରାଜସ୍ଥାନରେ ବିଧାନସଭା ନିର୍ବାଚନର ମତଗଣନା ପାଇଁ ପ୍ରାୟ ୨୦ ହଜାର ସରକାରୀ କର୍ମଚାରୀଙ୍କୁ ଲଗାଯାଇଛି। ରାଜ୍ୟରେ ୩୫ଟି କେନ୍ଦ୍ରରେ ମତଗଣନା ଆରମ୍ଭ ହୋଇ ଯାଇଛି।  ଯେଉଁଥିରେ ଜୟପୁର ଓ ଯୋଧପୁରର ଦୁଇ ଦୁଇଟି କେନ୍ଦ୍ର ସାମିଲ ରହିଛି। ରାଜସ୍ଥାନରେ ୨୦୦ ସିଟ୍ ମଧ୍ୟରୁ ୧୯୯ଟିରେ ଡିସେମ୍ବର ୭ରେ ମତଗଣନା ଆରମ୍ଭ ହୋଇଥିଲା। ୨୦୧୩ ନିର୍ବାଚନରେ ବିଜେପି ୧୬୩, କଂଗ୍ରେସ ୨୧, ବିଏସପି ୩, ଏନସିପି ୪ ଓ ଅନ୍ୟ ୯ଟି ସିଟରେ ବିଜୟୀ ହୋଇଥିଲେ।

ଛତିଶଗଡ଼

ରାଜସ୍ଥାନ ପରି ଛତିଶଗଡ଼ରେ ମଧ୍ୟ ଶାସକ ବିଜେପିକୁ  ଜୋରଦାର ଝଟକା ଲାଗିବାକୁ ଯାଉଛି। ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସରକାରଙ୍କୁ କଂଗ୍ରେସ ଗାଦିଚ୍ୟୁତ କରୁଥିବା ଦେଖିବାକୁ ମିଳିଛି। କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାର ସ୍ପଷ୍ଟ ସଙ୍କେତ ମିଳିଛି। ବର୍ତ୍ତମାନ ପର୍ୟ୍ୟ ନ୍ତ ମତଗଣନାର ଟ୍ରେଣ୍ଡ ମୁତାବକ କଂଗ୍ରେସ ୫୯ଟି ସିଟରେ ଆଗୁଆ ରହି ପୂର୍ଣ୍ଣ ବହୁମତ ପାଇବାକୁ ଯାଉଛି। ଅନ୍ୟ ପଟେ ବିଜେପି ୨୪ଟି ସିଟରେ ଆଗୁଆ ରହି କ୍ଷମତା ହରାଇବାକୁ ଯାଉଛି। ଅନ୍ୟାନ୍ୟ ୭ଟି ସିଟରେ ଆଗୁଆ ରହିଛନ୍ତି।

ଛତିଶଗଡ଼ର ସମସ୍ତ ୯୦ ସିଟରେ ଏଥର ଦୁଇଟି ପର୍ୟ୍ୟା ୟରେ ମତଦାନ ହୋଇଥିଲା।

ଛତିଶଗଡରେ ମତଗଣନା ପାଇଁ ସମସ୍ତ ୨୭ ଜିଲ୍ଲାରେ ମତଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିରେ ନକ୍ସଲ ପ୍ରଭାବିତ ଇଲାକାରେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ମତଗଣନା ଆରମ୍ଭ ହୋଇ ଯାଇଛି। ରାଜ୍ୟରେ ମତଗଣନା ପାଇଁ ୫୧୮୪ କାଉଟିଙ୍ଗ କର୍ମୀ ଓ ୧୫୦୦ ମାଇକ୍ରୋ ପର‌୍ୟ୍ୟବେକ୍ଷକଙ୍କୁ ଦାୟିତ୍ଵ ଦିଆଯାଇଛି।  ଛତିଶଗଡ଼ରେ ଚଳିତ ବର୍ଷ ୭୬.୬୦ ପ୍ରତିଶତ ମତଦାନ ହୋଇଥିଲା। ଏଠାରେ ୧୦୭୯ ପ୍ରାର୍ଥୀ ନିର୍ବାଚନରେ ଲଢିଛନ୍ତି।  ଆଜି ସବୁ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି।  ୨୦୧୩ରେ ବିଜେପି ଏଠାରେ ୪୯, କଂଗ୍ରେସ ୩୯ ଓ ବିସପି-ନିର୍ଦ୍ଦଳୀୟ ଗୋଟିଏ ଲେଖାଏଁ ସିଟରେ ବିଜୟୀ ହୋଇଥିଲେ।

ତେଲଙ୍ଗାନା

ତେଲଙ୍ଗାନାରେ ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) କ୍ଷମତାରେ ରହୁଥିବା ମତଦାନର ପ୍ରାରମ୍ଭିକ ଟ୍ରେଣ୍ଡରେ ଜଣା ପଡିଛି। ଏହାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କ୍ରମାଗତ ଦ୍ଵିତୀୟ ଥର ସରକାର ଗଠନ କରିବାକୁ ଯାଉଛନ୍ତି।ଏଠାରେ ଗତ ୨୦୧୪ ନିର୍ବାଚନରେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ଏକ ଥିଲେ। ବିଭାଜନ ପରେ ତେଲଙ୍ଗାନାର ବିଧାନସଭା ସିଟ୍ ହେଉଛି ୧୧୯। ଏଥିରୁ ଟିଆରଏସ ୯୦ଟି ସିଟରେ ନିର୍ବାଚନ ଜିତିଥିବା ବେଳେ ଆନ୍ଧ୍ର ପ୍ରଦେଶରେ ତେଲଗୁ ଦେଶମ ପାର୍ଟି(ଟିଡିପି) ସରକାର ଓ ଏନ ଚନ୍ଦ୍ରବାବୁ ନାଇଡ଼ୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୧୮ ନିର୍ବାଚନରେ ଟିଆରଏସ ବହୁମତ ସହିତ ସରକାର ଗଠନ କରିବା ଦେଖିବାକୁ ମିଳୁଛି। ୧୧୯ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭାରେ ବହୁମତ ପାଇଁ ଆବଶ୍ୟକ ୬୦ ସିଟ୍।

ଟିଆରଏସ ୯୧ ସିଟରେ ଆଗୁଆ ରହି ସ୍ପଷ୍ଟ ବହୁମତ ପାଇବାକୁ ଯାଉଛି। କଂଗ୍ରେସ ୧୬, ବିଜେପି ୪ ସିଟରେ ଆଗୁଆ ରହିଛନ୍ତି। ଏହି ରାଜ୍ୟରେ ମତଗଣନା ସକାଳ ୮ଟାରୁ ଆରମ୍ଭ ହୋଇ ଯାଇଛି। ମତଗଣନା ପାଇଁ ବଡ଼ ସଂଖ୍ୟାରେ କର୍ମୀଙ୍କୁ ନିୟୋଜିତ କରାଯାଇଛି।  ମତଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଲଙ୍ଗାନାରେ ୧୧୯ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ  ୧୮୨୧ ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତର ନିର୍ଣ୍ଣୟ ଆଜି ହେବାକୁ ଯାଉଛି।

By amfnews

Related Post