Mon. Jun 9th, 2025

ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନରେ ଯୋଗଦେବା ଲାଗି ୩ରେ ପୁରୀ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

By amfnews Jan 28, 2019 #Featured
234 Views

ଭୁବନେଶ୍ୱର ,ଜାନୁଆରୀ ୨୮: ଆସନ୍ତା ଫେବ୍ରୁଆରି ୨ ଓ ୩ ତାରିଖରେ ପୁରୀରେ ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଧିବେଶନ ଅନୁଷ୍ଠିତ ହେବ। ଅଧିବେଶନର ଅନ୍ତିମ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେବେ ବୋଲି ଆଜି ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏବଂ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

ଆଦିବାସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ଦେଶର ବିଭିନ୍ନ ସ୍ଥାନରୁ ୫ ହଜାରରୁ ଅଧିକ ପ୍ରତିନିଧି ସାମିଲ ହେବେ। ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୩ ତାରିଖରେ ହେବାକୁ ଥିବା ‘ଆଦିବାସୀଙ୍କ ହକ୍‌’ ଅଭିଯାନ ଶୋଭାଯାତ୍ରାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ବିଧାୟକ ରବି ନାଏକ କହିଥିଲେ, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ଓଡ଼ିଶା ତଥା ଆଦିବାସୀମାନଙ୍କ ଠାକୁର। ଶବର ରାଜା ବିଶ୍ୱାବସୁଙ୍କ ପାଖରେ ଜଗନ୍ନାଥ ମହାପ୍ରଭୁ ପୂର୍ବରୁ ନୀଳମାଧବ ରୂପେ ପୂଜା ପାଉଥିଲେ। ଏହି ମହାନ ସଂଯୋଗ ଅବସରରେ ମହାଧିବେଶନକୁ ପୁରୀରେ କରାଯିବା ପାଇଁ ସ୍ଥିର କରାଯାଇଛି।

By amfnews

Related Post