Sun. Nov 24th, 2024

ବିଜେଡିକୁ ତେରଛା ବାଣ ମାରିଲେ ବିଜୟ

By amfnews Jul 27, 2019 #Featured
102 Views

ଭୁବନେଶ୍ୱର : ପାଟକୁରା ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରଵାଲ ଆଜି ବିଧାନସଭାରେ ଶପଥ ନେଇଛନ୍ତି। ସେପଟେ ପାଟକୁରା ପରାଜୟ ପରେ ଆଜି ବିଜେପି ନେତା ବିଜୟ ମହାପାତ୍ର ଗଣମାଧ୍ୟମ ସାମ୍ନାରେ ଶାସକ ଦଳକୁ ତେରଛା ବାଣ ମାରି ‘ସମୟ’ ସଂପର୍କରେ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, “ପୂର୍ବରୁ ଏପରି ନିର୍ବାଚନ କେବେ ଦେଖି ନଥିଲି, ନା ଆଗକୁ ଦେଖିବି। ଏପରି ଘେରାବନ୍ଦୀ କଲେ, ଯେମିତି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି। ‘କିଲ୍ ବିଜୟ’ ପ୍ରୋଜେକ୍ଟ ସଫଳ ହୋଇଛି, ସେଥିପାଇଁ ଅଭିନନ୍ଦନ ଜଣାଉଛି। ରାଜନୀତିରେ ସମସ୍ତଙ୍କ ପାଇଁ ଦିନେ ନା ଦିନେ ପୂର୍ଣ୍ଣଚ୍ଛେଦ ପଡ଼େ। ତାଙ୍କ ପାଇଁ ଆସିବ ଓ ମୋ ପାଇଁ ମଧ୍ୟ ପୂର୍ଣ୍ଣଚ୍ଛେଦ ସମୟ ଆସିବ। ତାଙ୍କ ପୂର୍ଣ୍ଣଚ୍ଛେଦ ବେଳେ ମୁଁ ଥିବି, ମୋ ପୂର୍ଣ୍ଣଚ୍ଛେଦ ବେଳେ ସେ ନ ଥିବେ। ରାଜନୀତିରେ କେହି ଅଜୟ, ଅମର ହୋଇ ରହିପାରିବେ ନାହିଁ।’

ସେ ଆହୁରି କହିଛନ୍ତି, “ଘେରାବନ୍ଦୀ କରିଥିବା ନବୀନଙ୍କ ସେନାବାହିନୀ ସହ କଥା ହୋଇଛି। ମୋ ସହ ଆଲୋଚନା ବେଳେ ସେମାନେ ଅନ୍ତରରୁ ସମର୍ଥନ ଜଣାଇଛନ୍ତି। ସେମାନେ ଜାଣି ନାହାନ୍ତି ସେମାନଙ୍କର ଭବିଷ୍ୟତ କ’ଣ ହେବ। ଦଳ ସମ୍ପୂର୍ଣ୍ଣ ଭାବେ ମୁଷ୍ଟିମେୟ ବ୍ୟୁରୋକ୍ରାଟ୍ସଙ୍କ ଦ୍ୱାରା ପରିଚାଳିତ।’

୨୨ଟି ପଞ୍ଚାୟତର ଫଳାଫଳକୁ ନେଇ ସନ୍ଦେହ ପ୍ରକାଶ କରି ବିଜୟ କହିଥିଲେ, ସାରା ନିର୍ବାଚନମଣ୍ଡଳୀକୁ ବିଜେଡି ଯେଭଳି କଳବଳ କୌଶଳ ଲଗାଇ ଘେରାବନ୍ଦୀ କରି ରଖିଥିଲା ତାହା କେତେ ଦୂର ଠିକ୍? ସମ୍ପୂର୍ଣ୍ଣ ନିର୍ବାଚନମଣ୍ଡଳୀକୁ ଘେରାବନ୍ଦୀ କରିବା ଆଉ ଜଣକୁ ଜାଣିଶୁଣି ମାରିବା କେତେ ଦୂର ଯୁକ୍ତିଯୁକ୍ତ?

ଶ୍ରୀ ମହାପାତ୍ର ଆହୁରି କହିଥିଲେ, କେହି କାହା ରାଜନୈତିକ ଭବିଷ୍ୟତ ଉପରେ ରୋକ ଲଗାଇପାରିବେ ନାହିଁ। ସେ କେତେବେଳେ ପଛକୁ ଚାହିଁନାହାନ୍ତି। ଆଗକୁ ଯାଇଛନ୍ତି। ନିଶ୍ଚିତ ଭାବେ ପାଟକୁରା ଫଳାଫଳ ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ପାଟକୁରାରେ ବୁଲିଲା ବେଳେ ଯାହା ଲୋକଙ୍କ ମନୋଭାବ ଥିଲା ଫଳାଫଳରେ ତାହା ଆସିଲା ନାହିଁ। ଲୋକେ କହିଲେ ଗୋଟିଏ କଲେ ଗୋଟିଏ। ପାଟକୁରା କବଜା ପରେ ସବୁକିଛି ବଦଳିଗଲା ବୋଲି ସେ ସୂଚାଇଛନ୍ତି।

ପରାଜୟ ପରେ ବିଜୟଙ୍କ ଭବିଷ୍ୟତ ଭସାବାଦଲ ଭଳି ଭାସିବ ବୋଲି କେହି କେହି ମତ ଦେଉଥିଲେ। ଏ ସମ୍ପର୍କରେ ସେ କହିଛନ୍ତି, ଯେମିତି ସେ ଲୋକଙ୍କ ସହ ବୁଲୁଥିଲେ, ଲୋକଙ୍କ କଥା ବୁଝୁଥିଲେ ଏବେ ବି ସେ ସେଇୟା କରିବେ। ରାଜନୀତିରୁ ସନ୍ୟାସ ନେବେନି କି ଦୂରେଇ ଯିବେନି।

ତେବେ ବିଜୟଙ୍କ ଘେରାବନ୍ଦୀ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ଆମେ ଘେରାବନ୍ଦୀ କରିନଥିଲୁ। କର୍ମୀ ହିସାବରେ ସେଠାରେ ନିଷ୍ଠାର ସହ କାମ କରିଥିଲୁ। ଖାଲି ଆମେ ନୁହେଁ ବିଜେପି ବି ସେଠାରେ ଡେରା ପକାଇଥିଲା। ହୋଟେଲରେ ରହି ବିଜେପିର ବଡ଼ ବଡ଼ ନେତାମାନେ ପ୍ରଚାର କରୁଥିଲେ। ହାରିବା ପରେ ଘେରାବନ୍ଦୀ ମନ୍ତବ୍ୟ ଅମୂଳକ ବୋଲି କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ।

ବିଜେଡି ନେତା ପ୍ରତାପ ଦେବ ଗଣମାଧ୍ୟମକୁ କହିଛନ୍ତି, ଘେରାବନ୍ଦୀ ରାଜନୀତି ବିଜୁ ବାବୁଙ୍କ ଅମଳରୁ ଆରମ୍ଭ ହୋଇଛି। ରାଇରଙ୍ଗପୁର ଉପନିର୍ବାଚନରେ ଏମିତି ହୋଇଥିଲା। ସେଥିରେ ବିଜୟ ମହାପାତ୍ର ସେନାପତି ଥିଲେ। ଘେରାବନ୍ଦୀ ଅଭିଯୋଗ ଭୁଲ୍। ଆମେ ମୋଟ ୨୧ ବିଧାୟକ ଓ ମନ୍ତ୍ରୀ ଥିଲୁ। ଆଉ ଏ ‘କିଲ୍ ବିଜୟ’ ଉକ୍ତି ଗଣମାଧ୍ୟମର ମନଗଢ଼ା କାହାଣୀ।

By amfnews

Related Post