Sun. Jan 26th, 2025

ବିଜେଡି ଓ କଂଗ୍ରେସ ମହାମିଶ୍ରଣର ଖୋଲିବ କି ଗୁମର ? କଂଗ୍ରେସର ପ୍ରାର୍ଥୀ ଚୟନ କରୁଛନ୍ତି ବିଜେଡିର ରାଜ୍ୟସଭା ସାଂସଦ, ବଦ୍ରି ଖୋଲିଦେଲେ ରହସ୍ୟ…

By amfnews Oct 1, 2018 #Featured
210 Views

କେନ୍ଦୁଝର, ଅକ୍ଟୋବର ୧ : ପରସ୍ପର ଗୋଇ ଖୋଳାରେ ମାତିଲେ ବିଜେଡି ନେତା  । ବିନା ବିରୋଧୀ ଦଳର ପ୍ରୟାସରେ ବିଜେଡିର ଗୁମର ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି  । ଯାହାକୁ ନେଇ ଏବେ କେନ୍ଦୁଝର ଜିଲା ରାଜନୀତି ବିଶେଷ ଭାବେ ସରଗରମ ହୋଇପଡୁଛି  । ପଟ୍ଟନାୟକ ବ୍ରଦର୍ସ ଓ ବଦ୍ରି ପାତ୍ରଙ୍କ ମଧ୍ୟରେ ଚାଲିଥିବା କଥାକଟାକଟିକୁ ନେଇ ସାଧାରଣରେ ଭିନ୍ନକଥା ଆଲୋଚନା ହେଇଥିବା ଶୁଣିବାକୁ ମିଳୁଛି  ।  ବିଜେଡିର ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ବଦ୍ରି ପାତ୍ରଙ୍କ ରାଜନୈତିକ କ୍ୟାରିଅରକୁ ନେଇ ଅଙ୍ଗୁଳି ଉଠାଇଥିବା ବେଳେ ସୌମ୍ୟରଞ୍ଜନଙ୍କ ରାଜନୈତିକ ଭୂମିକାକୁ ନେଇ ବଦ୍ରିଙ୍କ ସମର୍ଥକ ମାନେ ଖୋଲାଖୋଲି କହିବାରେ ଲାଗିଛନ୍ତି  । ଏପରିକି କଂଗ୍ରେସ ଦଳର ପ୍ରାର୍ଥୀ କିଏ ହେବ ସେକଥା ବିଜେଡିର ଜଣେ ରାଜ୍ୟସଭା ସାଂସଦ ସ୍ଥିର କରୁଛନ୍ତି  । ଯେଉଁନେତା ମନ୍ତ୍ରୀ ପାତ୍ରଙ୍କ ବିରୋଧରେ କହୁଛନ୍ତି ତାଙ୍କର କୌଣସି ନୈତିକ ବଳ ନାହିଁ ବୋଲି ସେମାନେ ଖୋଲାଖୋଲି ଭାବେ ଘଷିପୁରା ଅଞ୍ଚଳରେ ଆଲୋଚନା କରିବାରେ ଲାଗିଛନ୍ତି  ।

ରାଜ୍ୟରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଅଘୋଷିତ ମେଂଟ ହୋଇଛି  । କଂଗ୍ରେସ ବିଜେଡିର ଆଶାବାଡି ବୋଲି ବିଜେପି ସବୁବେଳେ ଅଭିଯୋଗ କରୁଥିବା ବେଳେ ଏଥିରେ ଏକପ୍ରକାର ମୋହର ଲଗାଇଛନ୍ତି ଘଷିପୁରା ବିଜେଡିର କର୍ମୀଙ୍କ ସହ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର  ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟସଭାର ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସେ ଗଣମାଧ୍ୟମରେ ସିଧାସଳଖ ଭାବେ ଆକ୍ଷେପ କରିବା ସହ ମାରିଛନ୍ତି ତେରଚ୍ଛା ବାଣ  । ଏକ ଗଣମାଧ୍ୟମରେ ମନ୍ତ୍ରୀ ବଦ୍ରି ପାତ୍ର କହିଛନ୍ତି କି, ସୌମ୍ୟ ତାଙ୍କ ବିରୋଧରେ କହିଦେଲେ ତାଙ୍କ ଭାଇ କ୍ଷମତାକୁ ଫେରିବେ । ଏସବୁ ଅପପ୍ରଚାର । ବିଜେଡିରେ ତାଙ୍କୁ କିଏ କହିବାକୁ କ୍ଷମତା ଦେଲା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି । ସେ ରାଜଧର୍ମ ପାଳନ କରନ୍ତୁ । ବିଜେଡିରେ ରହି କଂଗ୍ରେସ ପାଇଁ କାମ କରିବା ବନ୍ଦ କରନ୍ତୁ । ଏପରି କି ବେପାର ଛାଡି ରାଜନୀତି କରନ୍ତୁ ବୋଲି ବଦ୍ରି କଟାକ୍ଷ କରିଛନ୍ତି ।

ସୂଚନାଯୋଗ୍ୟ କି, ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁତ୍ର ଗିରଫ ହେବା ଘଟଣାରେ ପ୍ରତିକ୍ରିୟା ରଖିଥିଲେ ବିଜେଡି ସାଂସଦ ସୌମ୍ୟରଞ୍ଜନ । ସେ କହିଥିଲେ କି, ମନ୍ତ୍ରୀଙ୍କ ପୁତ୍ର ଯେଉଁ ଅପରାଧ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ନିନ୍ଦନୀୟ । ତାଙ୍କ ପୁତ୍ରକୁ ବହୁ ପୂର୍ବରୁ ଗିରଫ କରାଯିବାର ଥିଲା । କିନ୍ତୁ ଏହା ହୋଇ ପାରିନଥିଲା । ଏବେ ଗିରଫ କରାଯାଇଛି ଏବଂ ଆଇନ ତାଙ୍କୁ ଉଚିତ ଦଣ୍ଡ ଦେବ । ଏହାକୁ ନେଇ ଜଣେ ମନ୍ତ୍ରୀ ଆତ୍ମସମୀକ୍ଷା କରିବା ଉଚିତ ବୋଲି ସେ କହିଥିଲେ । ଯେଉଁ କଥାକି ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ପ୍ରକାଶ ମଧ୍ୟ କରିଥିଲେ  । ଏପରିକି କେନ୍ଦୁଝର ଅଶାନ୍ତ ପାଇଁ ସେ ସିଧାସଳଖ ଭାବେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ଦାୟୀ କରିଥିଲେ  ।

ଅନ୍ୟପଟେ ବଦ୍ରିଙ୍କ ପକ୍ଷଛେଦନ ପାଇଁ ଏବେ ପାଣ୍ଡିଆନ୍, ନବୀନଙ୍କ ସହ ନିରଞ୍ଜନ ଅଘୋଷିତ ବୁଝାମଣା କରିଥିବା ବେଳେ ଏହାର ସେନାପତି ଚମ୍ପୁଆ ବିଧାୟକ ସନାତନ ମହାକୁଡ ସାଜିଥିବା କଥା ଏବେ କେନ୍ଦୁଝର ଅଞ୍ଚଳରେ ଆଲୋଚନାର ବିଷୟ ସାଜିଛି  ।

By amfnews

Related Post