Sat. Mar 14th, 2026

ବିଜୁଳି ଚୋରି କରୁଥିଲେ, ଏବେ ୫୦ଟି ଗଛ ଲଗାଇବାକୁ ଦଣ୍ଡ ପାଇଲେ

223 Views

ନୂଆଦିଲ୍ଲୀ : ବିଜୁଳି ଚୋରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ ଏକ ବିରଳ ଦଣ୍ଡ ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଏବେ ଏହି ଅପରାଧ ପାଇଁ ୫୦ଟି ଗଛ ଲଗାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଜୁଳି ଚୋରି କରୁଥିବାରୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ମାମଲା ବନ୍ଦ କରିବା ପାଇଁ କୋର୍ଟ ବ୍ୟକ୍ତିଙ୍କ ଆଗରେ ଏଭଳି ସର୍ତ୍ତ ରଖିଛନ୍ତି।
କୋର୍ଟ କହିଛନ୍ତି, “ଆସନ୍ତା ଗୋଟିଏ ମାସ ମଧ୍ୟରେ ବ୍ୟକ୍ତି ଜଣଙ୍କ ୫୦ଟି ଗଛ ଲଗାଇବେ। ଏନେଇ ସେ ଉପବନ ସଂରକ୍ଷକ (ପଶ୍ଚିମ)ଙ୍କୁ ରିପୋର୍ଟ କରିବେ। ଏହାପରେ ଉପବନ ସଂରକ୍ଷକ ହିଁ ବ୍ୟକ୍ତି ଜଣଙ୍କୁ ଦିଲ୍ଲୀର ବନ୍ଦେମାତରମ ମାର୍ଗରେ ଥିବା ବୁଦ୍ଧ ଜୟନ୍ତୀ ପାର୍କ ଅନ୍ତର୍ଗତ କେନ୍ଦ୍ରୀୟ ସଂରକ୍ଷଣ ଜଙ୍ଗଲରେ ୫୦ଟି ଗଛ ଲଗାଇବା କାମ ହସ୍ତାନ୍ତର କରିବେ।

ଏଥିସହ ଉପବନ ସଂରକ୍ଷକ ଓ ସଂପୃକ୍ତ ବ୍ୟକ୍ତି ଜଣଙ୍କ ମିଳିତ ଭାବେ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବେ। ବ୍ୟକ୍ତି ଜଣଙ୍କ ଠିକ୍‌ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ, ତା’ର ରିପୋର୍ଟ ଉପବନ ସଂରକ୍ଷକ ଦେବେ। ଗଛ ଲାଗି ସାରିବା ପରେ ଆକାଶ ମାର୍ଗରୁ ଏହି ଫଟୋକୁ ଉଠାଇ ଉପବନ ସଂରକ୍ଷକ କୋର୍ଟରେ ଦାଖଲ ମଧ୍ୟ କରିବେ।” ଦିଲ୍ଲୀରେ ରହୁଥିବା ଏହି ବ୍ୟକ୍ତି ଜଣକ ଏକ ବାଇପାସ୍‌ ତାର ଦ୍ୱାରା ନିଜ ଘରକୁ ବିଦ୍ୟୁତ ସଂଯୋଗ କରିଥିଲେ। ବିଜୁଳି ବିଭାଗ ଏହା ଜାଣିବା ପରେ ତାଙ୍କ ବିରୋଧରେ କୋର୍ଟରେ ମାମଲା କରିଥିଲା।

By amfnews

Related Post