Mon. Mar 9th, 2026

ବିଚାରାଧୀନ କଏଦୀ ନାଁରେ ଚୋରି ଅଭିଯୋଗ

180 Views

ସୋର : ଜେଲ୍‌ରେ ଥାଇ ବି ଚୋରି। ଏପରି ଅଭିଯୋଗ ଆସିଛି ଜଣେ ବିଚାରାଧୀନ କଏଦୀଙ୍କ ବିରୋଧରେ । ତାଙ୍କୁ ଅନ୍ୟ ଏକ ମିଛ ମାମଲାରେ ଫସାଇବାକୁ ପ୍ରୟାସ ଚାଲିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୋ ସରକାର କାର୍ଯ୍ୟକ୍ରମରେ ପୁଲିସ୍‌ ବାବୁଙ୍କୁ ରାଜ୍ୟ ସରକାର ସ୍ୱଚ୍ଛତା ଓ ଶାଳୀନତାର ପାଠ ପଢ଼ାଉଥିବା ବେଳେ ପ୍ରକୃତରେ ଏହା କେତେ କାର୍ଯ୍ୟକ୍ଷମ ହେଉଛି ତାହା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ।

ଅଭିଯୋଗ ଅନୁସାରେ, ଚିନ୍ତାମଣିପଦା ଗାଁର ଅର୍ଜୁନ ନାୟକଙ୍କ ପୁଅ ରଂଜିତ ନାୟକଙ୍କୁ ଖଇରା ଥାନା ପୁଲିସ୍‌ ୨୦୧୯ ଜାନୁଆରି ୧୯ ତାରିଖରେ ମାମଲା ନମ୍ବର ୨/୧୯ରେ ଗିରଫ କରି କୋର୍ଟଚାଲାଣ କରିଥିଲା । ପ୍ରାୟ ୭ ମାସ ଜେଲ୍‌ରେ ରହିବା ପରେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ପରେ ସେ ୨୦୧୯ ଅଗଷ୍ଟ ୨ ତାରିଖରେ ଜେଲ୍‌ରୁ ବାହାରିଥିଲେ । ଅର୍ଥାତ ଜାନୁଆରି ୧୯ ତାରିଖରୁ ଅଗଷ୍ଟ ୨ ତାରିଖ ଯାଏ ରଞ୍ଜିତ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା, ଜେଲ୍‌ ରହଣୀ କାଳ ମଧ୍ୟରେ ଅର୍ଥାତ୍ ୨୦୧୯ ମେ ୨୩ରେ ସୋର ଥାନା ବିଦୁ ଛକରେ ହୋଇଥିବା ଏକ ଲୁଟ୍ ମାମଲାରେ ରଞ୍ଜିତଙ୍କୁ ଅଭିଯୁକ୍ତ ସଜାଇଛି ପୁଲିସ୍‌।  ସୋର ପୁଲିସ୍‌ ମାମଲା ନମ୍ବର ୨୩୭/୧୯ ଅନୁସାରେ ରଞ୍ଜିତଙ୍କୁ ନଭେମ୍ବର ୧ ତାରିଖରେ ପୁଣି ଥରେ ଗିରଫ କରି କୋର୍ଟଚାଲାଣ କରିଛି।

ଯେହେତୁ  ରଞ୍ଜିତ ଜାନୁଆରି ୧୯ରୁ ଅଗଷ୍ଟ ୨ ତାରିଖ ଯାଏ ଜେଲ୍‌ରେ ଥିଲେ, ମେ ୨୩ ତାରିଖରେ ଚୋରି କିପରି କଲେ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ। ପୁଲିସ୍‌ ତାଙ୍କୁ ମିଛରେ ଫସାଇବାକୁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି। ରଞ୍ଜିତଙ୍କ ପତ୍ନୀ ନଭେମ୍ବର ୧ରେ ସୋର ଥାନାକୁ ଯାଇ ତାଙ୍କ ସ୍ୱାମୀ ନିଖୋଜ ଥିବାର ଅଭିଯୋଗ କରିଛନ୍ତି । ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

By amfnews

Related Post