Sat. Mar 7th, 2026

ବାୟୁ ପ୍ରଦୂଷଣ ସହ ମୁକାବିଲା କରିବାକୁ ନାସିକ ରେଳବାଇ ଷ୍ଟେସନ୍‌ରେ ‘ଅକ୍ସିଜେନ୍‌ ପାର୍ଲର୍‌’

225 Views

ନାସିକ: ସହରରେ ବାୟୁ ପ୍ରଦୂଷଣ ବିରୋଧରେ ମୁକାବିଲା କରିବା ସହ ଯାତ୍ରୀମାନଙ୍କୁ ନିଃଶ୍ୱାସରେ ନିର୍ମଳ ବାୟୁ ଗ୍ରହଣ କରିବାର ଅନୁଭୂତି ଦେବା ନିମନ୍ତେ ନାସିକ ରେଳବାଇ ଷ୍ଟେସନରେ ଗୋଟାଏ ‘ଅକ୍ସିଜେନ୍‌ ପାର୍ଲର୍‌’ ଖୋଲାଯାଇଛି।

ଭାରତୀୟ ରେଳବାଇ ସହଯୋଗରେ ‘ଏୟାରୋ ଗାର୍ଡ’ ଏ ଭଳି ଅଭିନବ ଉଦ୍ୟମ କରିଛି। ‘ଏୟରୋ ଗାର୍ଡ’ର ସହ-ସଂସ୍ଥାପକ ଅମିତ ଅମୃତକର କହିଛନ୍ତି ଯେ ନାସାର ଅନୁମୋଦ ଉପରେ ଏହି ଅକ୍ସିଜେନ୍‌ ପାର୍ଲର୍‌ ଆଧାରିତ।

ସୋମବାର ଦିନ ଅମୃତକର ଗଣମାଧ୍ୟମକୁ କହିଛନ୍ତି: ୧୯୮୯ରେ ନାସା ଏକ ଅଧ୍ୟୟନ କରିଥିଲା। କେଉଁ ଉଦ୍ଭିଦ ବାୟୁମଣ୍ଡଳରୁ ୫ଟି ସବୁଠୁ କ୍ଷତିକାରକ ପ୍ରଦୂଷଣ ଉପାଦାନ ବିଶୋଷଣ କରୁଛି, ତାହା ଏହି ଅଧ୍ୟୟନରେ ଚିହ୍ନଟ କରାଯାଇଥିଲା।

ଏହି ଉଦ୍ଭିଦ ସବୁ ସେମାନଙ୍କ ଚାରିପଟେ ଥିବା ୧୦ x ୧୦ ଫୁଟ୍‌ ଅଞ୍ଚଳ ପରିମିତ ବାୟୁମଣ୍ଡଳକୁ ପରିଷ୍କାର କରି ଦିଅନ୍ତି। ଏଠାରେ ସେ ଭଳି ପ୍ରାୟ ୧୫୦୦ ଉଦ୍ଭିଦ ରହିଛି। ଏସବୁ ରେଳବାଇ ଷ୍ଟେସନ୍‌ ଅଞ୍ଚଳ ବାୟୁରେ ଥିବା ପ୍ରଦୂଷଣକୁ ବିଶୋଷଣ କରିନେଇ ଯାତ୍ରୀମାନଙ୍କ ନିଃଶ୍ୱାସରେ ଶୁଦ୍ଧ ବାୟୁ ଭରିଦେବେ।

ପ୍ରତି ରେଳବାଇ ଷ୍ଟେସନ୍‌ରେ ଏ ଭଳି ବ୍ୟବସ୍ଥା କରିବାକୁ ଅମୃତକରଙ୍କର ଇଚ୍ଛା। ଲୋକେ ମଧ୍ୟ ଏହି ଉଦ୍ଭିଦକୁ ଘରବାଡ଼ିରେ ଲଗାଇ ପାରିବେ ବୋଲି ସେ କହୁଛନ୍ତି।

By amfnews

Related Post