Sat. Mar 7th, 2026

ବାଲ୍ୟ ବିବାହ ଆଇନରେ ସଂଶୋଧନ ମାମଲା: ଚାରି ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

225 Views

କଟକ : ବାଲ୍ୟ ବିବାହ ଆଇନରେ ସଂଶୋଧନ ପ୍ରସଂଗରେ ବିଚାର କରି ୪ସପ୍ତାହ ଭିତରେ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନସେବା ସଂସ୍ଥା କ୍ଲାପ୍ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିନୋଦ ମିଶ୍ର ଓ ବିଜୟ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ, ବାଲ୍ୟବିବାହକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଅତୀତରେ ଆଇନ ପ୍ରଣୟନ ହୋଇଥିଲା।

ଏହି ଆଇନରେ କେତେକ ସଂଶୋଧନରେ ଆବଶ୍ୟକତା ରହିଛି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ ରାଜ୍ୟରେ ଯେତିକି ବିବାହ ସମ୍ପନ୍ନ ହେଉଛି ସେଥି ମଧ୍ୟରୁ ୨୧.୩ ପ୍ରତିଶତ ବାଲ୍ୟ ବିବାହ। ତେଣୁ ବର୍ତ୍ତମାନ ଥିବା ଆଇନ ବାଲ୍ୟ ବିବାହ ସଂପୂର୍ଣ୍ଣ ଭାବେ ବନ୍ଦ କରି ପାରିନାହିଁ। ଅନ୍ୟପକ୍ଷରେ ବାଲ୍ୟ ବିବାହ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଜରୁରୀ। ଏଥିପାଇଁ ବାଲ୍ୟ ବିବାହ ସମ୍ପର୍କିତ ଆଇନରେ କେତେକ ସଂଶୋଧନ କରାଯିବା ଉଚିତ, ଯାହାଦ୍ବାରା ଏପରି ଘଟଣା ବନ୍ଦ କରାଯାଇ ପାରିବ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

By amfnews

Related Post