Sat. Mar 7th, 2026

ବାଲିଯାତ୍ରା ପଡ଼ିଆରେ ହାତରେ ଝାଡ଼ୁ ଧରି ଅଳିଆ ସଫା କଲେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ

158 Views

କଟକ , ନଭେମ୍ବର ୧୮ : କଟକ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାକୁ ଆଉ ମାତ୍ର ଚାରି ଦିନ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପଡ଼ିଆକୁ ସଫା ସୁତୁରା ରଖିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଟକ ଜିଲ୍ଲାପାଳ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସମସ୍ତ ସ୍ଥାନକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ଲୋକମାନଙ୍କୁ ସଚେତନତା କରାଇବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ହାତରେ ଝାଡୁ ଧରି ବାଲିଯାତ୍ରା ପଡିଆକୁ ସଫା କରୁଥିବା ଦେଖାଯାଇଛି। ଜିଲ୍ଲାପାଳଙ୍କ ହାତରେ ଝାଡୁ ଦେଖି ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟ ସେଠାରେ ସଫେଇ କରିଥିଲେ। ଏହି ଅବସରରେ ଶ୍ରୀ ଅଗ୍ରୱାଲ ପଡ଼ିଆ ସଫା ରଖିବାକୁ ବ୍ୟବସାୟୀ ଓ ଲୋକଙ୍କୁ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ, ଚଳିତ ମାସ ନଭେମ୍ବର ୨୩ ତାରିଖରୁ କଟକରେ ପ୍ରଥମ ଥର ଦଶ ଦିନ ଧରି ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ବାଲିଯାତ୍ରା ପାଇଁ ଉଭୟ ତଳ ଓ ଉପର ପଡିଆରେ ବ୍ୟାପକ ପ୍ରସ୍ତୁତି ଚାଲିଅଛି। ସେପଟେ ବାଲିଯାତ୍ରାକୁ ନେଇ କିଛି ଦିନ ଧରି କଟକ ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ଦେଖାଦେଇଥିବା ବିବାଦ ଦୂର ହୋଇଛି। ବ୍ୟବସାୟୀ ସଂଘର ଦାବିକୁ ପ୍ରଶାସନ ମାନି ନେବା ପରେ ଦେଖାଦେଇଥିବା ବିବାଦର ଅନ୍ତ ଘଟିଛି। ବାଲିଯାତ୍ରାକୁ ସୁବ୍ୟବସ୍ଥିତ ଭାବରେ କରିବାକୁ ବ୍ୟବସାୟୀ ସଂଘ ଓ ପ୍ରଶାସନ ହାତ ମିଳାଇଛନ୍ତି । ବ୍ୟବସାୟୀଙ୍କ ଦ୍ୱାରା ଦାବି ହୋଇଥିବା ଦୋଳି ପାଇଁ ଟେଣ୍ଡର ନ କରିବାକୁ ପ୍ରଶାସନ ନିଷ୍ପତି ନେଇଛି। ଆସନ୍ତା ୨୭ରୁ ବିଶ୍ୱ ପୁରୁଷ ହକି କପ ଆରମ୍ଭ ହେଉଥିବାରୁ ଚଳିତବର୍ଷ ବାଲିଯାତ୍ରାରେ ଅଧିକ ଭିଡ଼ ପରିଲିକ୍ଷିତ ହେବାର ସମ୍ଭାବନା ରହିଛି। ତେଣୁ ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆଡମ୍ବରପୂର୍ଣ୍ଣ କରିବାକୁ ପ୍ରଶାସନ ନିଷ୍ପତି ନେଇଛି।

By amfnews

Related Post