Sat. Mar 7th, 2026

ବାପାର ପତ୍ତା ମିଳୁନି, ରାସ୍ତାରୋକ କରି ମା’ ସହ ଜେଲ୍‌ରେ ୮ ଦିନର ଶିଶୁ

226 Views

ଫୁଲବାଣୀ : ପ୍ରାୟ ୨୦ ଦିନ ହେବ ନିଖୋଜ ଥିବା ବାପାର ସନ୍ଧାନ ନିମନ୍ତେ  ନିଜ ମା’ ସହ ରାସ୍ତାକୁ ଓହ୍ଲାଇଥିଲା ୮ ଦିନର ଶିଶୁପୁତ୍ର।  ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ସେମାନେ ବି ରାସ୍ତାରୋକରେ ସାମିଲ ହୋଇଥିଲେ।  ମାତ୍ର ପୁଲିସ୍‌ ବଳପୂର୍ବକ ସମସ୍ତଙ୍କୁ ଉଠାଇ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି। ଫଳରେ ଦୁନିଆ କ’ଣ ଜାଣିବା ପୂର୍ବରୁ ଜେଲ୍‌ ୪ କାନ୍ଥରେ ଏବେ ମା’ ସହ ନବଜାତ ଶିଶୁର କଟୁଛି ଦିନ। ଏପରି ଏକ ସ୍ପର୍ଶକାତର ଘଟଣା ଗତକାଲି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଘଟିଛି।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା କନ୍ୟାଶ୍ରମ ରୋଡ଼ ନିବାସୀ ଶୁଭେନ୍ଦୁ ମଳିକ ଗତ ୧୫ ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ତାଙ୍କ ମା’   ରାଇକିଆ ଥାନାରେ ଗତ ୧୭ ତାରିଖରେ ଏତଲା ଦେଇଥିଲେ। ମାତ୍ର ଅଦ୍ୟାବଧି ଯୁବକଙ୍କ କୌଣସି ପତ୍ତା ମିଳୁନି । ତାଙ୍କ ସନ୍ଧାନ ଦାବିରେ ଗତକାଲି ରାଇକିଆ ଥାନା ସମ୍ମୁଖରେ ପରିବାରବର୍ଗ ଏବଂ ଅଞ୍ଚଳବାସୀ ସକାଳୁ ସକାଳୁ ରାସ୍ତାରୋକ କରିଥିଲେ । ଏଥିଯୋଗୁ  ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଏହାପରେ ଦିନ ପ୍ରାୟ ୧୧ଟା ବେଳକୁ ପୁଲିସ୍‌ ବଳପୂର୍ବକ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ଉଠାଇ ଦେଇଥିଲା। ରାସ୍ତାରୋକ କରିଥିବା ଅଭିଯୋଗରେ ରାଇକିଆ ପୁଲିସ୍‌ ୪ ଜଣ ପୁରୁଷ ସମେତ ୧୭ ଜଣ ମହିଳାଙ୍କୁ ମିଶାଇ ମୋଟ ୨୧ ଜଣଙ୍କୁ ଗିରଫ କରି ଫୁଲବାଣୀ କୋର୍ଟଚାଲାଣ କରିଛି । କୋର୍ଟଚାଲାଣ ହୋଇଥିବା ମହିଳାଙ୍କ ମଧ୍ୟରେ ନିଖୋଜ ଯୁବକଙ୍କ ସ୍ତ୍ରୀ ଏବଂ ତାଙ୍କର ୮ ଦିନର ଶିଶୁ ମଧ୍ୟ ରହିଛି  ।  ବିଚାରପତି ସମସ୍ତଙ୍କ ଜାମିନ ଆବେଦନ ଖାରଜ କରିଦେଇଥିବାରୁ ସମସ୍ତଙ୍କୁ ଉଦୟଗିରି ଜେଲ୍‌କୁ ପଠାଇ ଦିଆଯାଇଛି ।

By amfnews

Related Post