Sat. Feb 1st, 2025

ବାତ୍ୟା ତିତଲୀ ପାଇଁ ସମସ୍ତଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

By amfnews Oct 12, 2018 #Featured
158 Views

ଯାଜପୁର, ୧୧ା୧୦ ବାତ୍ୟା ତିତ୍ଲୀ ପାଇଁ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଛୁଟି ବାତିଲ୍ କରାଯିବା ସହ ଆଗାମୀ ୨ ଦିନ ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ମହାବିଦ୍ୟାଳୟ ମାନଙ୍କରେ ହେବାକୁ ଥିବା ନିର୍ବାଚନକୁ ମଧ୍ୟ ଅନିର୍ଦ୍ଧିଷ୍ଟ ସମୟ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ତିତ୍ଲୀ ପାଇଁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ଦାସ ଆଗାମୀ ସମୟରେ ବର୍ଷାର ପ୍ରକୋପ ବଢ଼ିବା ସହ ପବନ ମଧ୍ୟ ଅଧିକ ହେବାର ସୂଚନା ରହିଛି ବୋଲି କହିଥିଲେ ।

ତେବେ ଏଥିପାଇଁ ଜନସାଧାରଣ ଭୟଭୀତ ନ ହେବାକୁ ସେ ଅନୁରୋଧ କରିବା ସହ ଏସବୁର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ସୂଚନା ଦେଇଥିଲେ । ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳକୁ ରହିବା ଉପଯୋଗୀ ରଖିବା, ଆବଶ୍ୟକ ଖାଦ୍ୟ, ଔଷଧ, ଗୋଖାଦ୍ୟ, ପାନୀୟଜଳ ଇତ୍ୟାଦି ମହଜୁଦ ରଖିବାକୁ ଜିଲ୍ଲାପାଳ, ବିଡ଼ିଓ ଓ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୪ ଘଂଟିଆ ନିୟନ୍ତ୍ରଣ ପକ୍ଷ ଖୋଲା ରଖିବା ସହ ଦାୟିତ୍ୱରେ ଥିବା କର୍ମଚାରୀମାନେ ଅପ୍ଟୁଡେଟ୍ ତଥ୍ୟ ରଖି ତାହାକୁ ସାଧାରଣରେ ସୂଚନା ଦେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅପରପକ୍ଷରେ ଗୁରୁବାର ସଂପୃକ୍ତ ବିଡ଼ିଓ ମାନେ ଖାଲୁଆ ଅଂଚଳ ଓ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସଚେତନ କରାଇବା ପାଇଁ ମାଇକ ମାଧ୍ୟମରେ ପ୍ରଚାର କରି ସେମାନଙ୍କୁ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳ ବା ନିରାପଦ ସ୍ଥାନକୁ ଚାଲି ଯିବା ପାଇଁ ପରାମର୍ଶ ଦେବାକୁ ପରାମର୍ଶ ଦେଇଥିଲେ ।

ଜିଲ୍ଲାରେ ୨୨୮ ଗୋଟି ବିଦ୍ୟାଳୟକୁ ମଧ୍ୟ ଆବଶ୍ୟକ ସ୍ଥଳେ ନିରାପଦ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଜିଲ୍ଲା ଶିକ୍ଷା ଅଧିକାରୀ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଏଥିପାଇଁ ସଜାଗ ରହିବାକୁ ସୂଚନା ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ୨୬ଗୋଟି ବନ୍ୟା ଆଶ୍ରୟସ୍ଥଳ ରହିଥିବା ବେଳେ ୨୫ଗୋଟି ପାୱାର ବୋଟ୍, ଟାଟା ପ୍ରଦତ୍ତ ୩ଗୋଟି ବୋଟ୍ ଓ ୧୨୭ ଗୋଟି ଦେଶୀ ଡଙ୍ଗା ମଧ୍ୟ ବିଭିନ୍ନ ଉଦ୍ଧାର ପାଇଁ ସଜାଗ ରହିଛି ବୋଲି ସୂଚନା ଦିଆଯାଇଥିଲା ।

ଏନ୍ଡିଆରଏଫ୍ ର ଗୋଟିଏ ଦଳ ଜିଲ୍ଲାରେ ପହଂଚି ଥିବା ବେଳେ ଆବଶ୍ୟକ ସ୍ଥଳେ ଓଡ୍ରାଫ୍ର ସହାୟତା ନେବା ପାଇଁ ଜିଲ୍ଲାପାଳ ମଧ୍ୟ ରାଜ୍ୟ ରିଲିଫ୍ କମିଶନରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ବର୍ତ୍ତମାନ ମାସକ ପାଇଁ ଚାଉଳ ଗଚ୍ଛିତ ଥିବା ବେଳେ ଏହାକୁ ମଧ୍ୟ ଆବଶ୍ୟକ ସ୍ଥଳେ ଉପଯୋଗ କରିବା, ଆବଶ୍ୟକ ସ୍ଥଳେ ପଲିଥିନ୍କୁ କ୍ଷତିଗ୍ରସ୍ତ ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ପ୍ରଦାନ ପାଇଁ ଜିଳ୍ଲାପାଳ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ଅତ୍ୟାବଶ୍ୟକ ଔଷଧ ଓ ସାପ କାମୁଡ଼ା ଚିକିତ୍ସା ଔଷଧ ପ୍ରଚୁର ପରିମାଣରେ ମହଜୁଦ୍ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ସରକାର ଯେପରି ଜଣେ ମଧ୍ୟ ବାତ୍ୟାରେ ମୃତ୍ୟୁବରଣ ନ କରନ୍ତି ସେଥିପ୍ରତି ଗୁରୁତ୍ୱ ଦେଉଥିବାରୁ ଜିଲ୍ଲା ପ୍ରଶାସନ ଏହାକୁ କଡ଼ା କଡ଼ି ଭାବେ ପାଳନ ସହ ଲୋକମାନଙ୍କୁ ବ୍ୟାପକ ସଚେତନ କରିବା ଆବଶ୍ୟକ ସ୍ଥଳେ ବିପଦପୂର୍ଣ୍ଣ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନରେ ଥଇଥାନ କରିବାକୁ ଜିଲ୍ଲାପାଳ ସମସ୍ତ ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟୀ କଲେକ୍ଟର ଶ୍ୱେତ କୁମାର ଦାସ, ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା, ଡିପିଏମ ଦେବାଶିଷ ପ୍ରଧାନ, ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଏଥିରେ ଯୋଗ ଦେଇ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଲୋଚନା କରିଥିଲେ ।

By amfnews

Related Post