210 Views
ଖୋର୍ଦ୍ଧା , ନଭେମ୍ବର ୧୩ :ରାଜ୍ୟରେ ବାଣ ବିକ୍ରି ଓ ଫୁଟେଇବା ଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି । ତଥାପି କେତେକ ଅସାଧୁ ବ୍ୟବସାୟୀ ବେଆଇନ ଭାବେ ବାଣ ତିଆରି ପାଇଁ ବ୍ୟବହାର ହେଉଥିବା ବାରୁଦ ସହ ବିଭିନ୍ନ ରାସାୟନିକ ସାମଗ୍ରୀ ଲୁଚା ଛପାରେ ବିକ୍ରୀ କରୁଛନ୍ତି । ଏମାନଙ୍କ ଠାରୁ ଯୁବକମାନେ ବାରୁଦ କିଣି ବାଣ ତିଆରି କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର କେତେ ଜଣ ଯୁବକ ଦୀପାବଳୀ ପାଇଁ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ହେବାରୁ ଚାରି ଜଣ ଯୁବକ ଗୁରୁତର ହୋଇଛନ୍ତି । ବିସ୍ଫୋରଣ ଏଭଳି ଥିଲା ଯେ କାହାର ଦେହର ଚୁଟି ପୋଡିଛି ତ କାହା ଦେହର ଚର୍ମ ଉଠି ଯାଇଛି । ଆହତ ଯୁବକମାନଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।