Sat. Mar 7th, 2026
205 Views

ଭୁବନେଶ୍ୱର : ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ ଦଳରୁ ଚାପ ପଡ଼ିବା ପରେ ଭୁଲ ମାଗିବା ସହିତ ଦୁଃଖ ପ୍ରକାଶ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗତକାଲି ବିରୋଧୀ ଦଳ ନେତାଙ୍କ କଥା ଠିକ୍ ଭାବେ ବୁଝି ପାରିନଥିବା କହିଥିଲେ ବାଚସ୍ପତି । ଆଜି  ଭୁଲ୍ ହୋଇଯାଇଛି, ସେଥିପାଇଁ ‘ସରି’ ବୋଲି କହିଛନ୍ତି ବାଚସ୍ପତି ।

ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ କିଛି କହିବାକୁ ଚାହୁଁଥିଲେ । ହେଲେ ହଠାତ୍ ଗୃହକୁ ମୁଲତବୀ କରି ଦେଇଥିଲେ ବାଚସ୍ପତି । ଏହାକୁ ନେଇ ବିରୋଧୀ କ୍ଷୁବ୍ଧ ହୋଇଯାଇଥିଲେ । ଏପରିକି ଗୃହ ଚଳାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଉଲ୍ଲେଖନୀୟ ଯେ, ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ ଦାବି ଓ ବିଧାନସଭା ବାଚସ୍ପତିଙ୍କ ପକ୍ଷପାତପୂର୍ଣ୍ଣ ଆଚରଣ ସମ୍ପର୍କରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ନିଜର ଆପତ୍ତି ଅଭିଯୋଗ ଜଣାଇଥିଲେ।

ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ ଯେ, ସ୍ମିତାରାଣୀଙ୍କୁ ହତ୍ୟା ଓ ଦୁଷ୍କର୍ମ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସରକାରୀ ଷଡ଼ଯନ୍ତ୍ର ଚାଲିଥିବାରୁ ବିଜେପି ବିଧାୟକମାନେ ବିଧାନସଭାରେ ମୋସନ ଆଣି ଏହାର ଆଲୋଚନା ଚାହୁଁଥିଲେ। ମାତ୍ର ବାଚସ୍ପତି ଏହି ଦାବିକୁ ଗ୍ରହଣ କଲେ ନାହିଁ। ସଂଖ୍ୟା ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳ ବିଜେପିର ମୋସନ ଉପରେ ଆଲୋଚନା ପାଇଁ ଗୃହକୁ ସୁଯୋଗ ଦେବା ସଂସଦୀୟ ପରମ୍ପରା। ସ୍ୱାଭାବିକ ଭାବେ ଗୃହରେ ପ୍ରସଙ୍ଗ ରଖିବା ପାଇଁ ବିଜେପିକୁ ବାଚସ୍ପତି ସୁଯୋଗ ଦେବା କଥା। ବିଜେପି ବିଧାୟକମାନେ ଏହା ବିରୋଧରେ ଗାନ୍ଧୀ ମୂର୍ତ୍ତି ପାଖେ ନିରବ ପ୍ରତିବାଦ କରିଆସୁଛନ୍ତି। ମାତ୍ର ବାଚସ୍ପତି ଏବେ ସୁଦ୍ଧା ମୋସନ୍ ଆଣି ଆଲୋଚନା କରିବା ପାଇଁ ଚାହୁଁ ନାହାନ୍ତି । ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ରାଜ୍ୟପାଳ ଏନେଇ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ବିଧାୟକମାନେ ଦାବି ଜଣାଇଥିଲେ।

ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ଯେ, ସ୍ମିତାରାଣୀ ହତ୍ୟା ପ୍ରସଙ୍ଗରେ ଗୃହରେ କୌଣସି ତଥ୍ୟ ରେକର୍ଡ ହେଉ ବୋଲି ବାଚସ୍ପତି ଚାହୁଁନାହାନ୍ତି। ବିଧାନସଭା ଅଧିବେଶନର ପ୍ରଥମ ଦିନ ବିରୋଧୀ ଦଳ ନେତା ଠିଆ ହୋଇ କହୁଥିବା ବାଚସ୍ପତି ଦେଖିପାରିଲେନି।  ଗତକାଲି ମଧ୍ୟ ବିରୋଧୀ ଦଳ ନେତା କହୁଥିବାବେଳେ ଗୃହକୁ ବାଚସ୍ପତି ମୁଲତବୀ କରିଦେଲେ। ବାଚସ୍ପତିଙ୍କ ଏଭଳି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେପି ବିଧାୟକମାନେ କହିବା ସହ ଆଗାମୀ ଦିନରେ ସ୍ମିତାରାଣୀ ଓ ଧାନକିଣା ଅନିୟମିତତା ଆଦି ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଯିବ ବୋଲି କହିଥିଲେ। ବିଜେପିର ସମସ୍ତ ବିଧାୟକ ଏକ ଶୋଭାଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ।

By amfnews

Related Post