Sat. Mar 7th, 2026

ବାଇକ୍‌ଆରୋହୀ ମାରିଲେ ସାଇଡ୍‌; ନିୟନ୍ତ୍ରଣ ହରାଇ ଭାଇଭଉଣୀଙ୍କ ଉପରେ ସ୍କୁଟର୍‌ ଧକ୍କା ଦେଲେ କଲେଜ ଛାତ୍ରୀ

255 Views

ଯାଜପୁର : ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ବିଞ୍ଝାରପୁର ଥାନା ଅଞ୍ଚଳ ତାଉଁତରା ଛକ ନିକଟରେ ସ୍କୁଟର୍‌ ଧକ୍କା ଖାଇ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ର ଓ ଛାତ୍ରୀ ସାଙ୍ଘାତିକ ଆହତ ହୋଇଛନ୍ତି।

ଦୁହେଁ ତାଉଁତରା ଗ୍ରାମର ଶିବ ପଲେଇଙ୍କ ପୁଅ ଓ ଝିଅ। ତାଉଁତରା ସ୍କୁଲ୍‌ରେ ୬ ବର୍ଷିୟ ପୁଅ ରାଜେନ୍ଦ୍ର ପ୍ରଥମ ଶ୍ରେଣୀର ଛାତ୍ର ଏବଂ ୯ ବର୍ଷୀୟ ପୂଜା ତୃତୀୟ ଶ୍ରେଣୀର ଛାତ୍ରୀ। ଉଭୟ ଚାଲି ଚାଲି ସ୍କୁଲ୍‌କୁ ଯାଉଥିଲେ। ସେତିକି ବେଳେ ସେ ରାସ୍ତାରେ ସ୍କୁଟର୍‌ ନେଇ ଯାଉଥିବା ବରୁଣେଇ କଲେଜର ଜଣେ ଛାତ୍ରୀଙ୍କୁ ଜଣେ ମୋଟରସାଇକେଲ୍‌ ଆରୋହୀ ସାଇଡ୍‌ ମାରିଥିଲେ। ଫଳରେ କଲେଜ ଛାତ୍ରୀଜଣକ ନିଜ ସ୍କୁଟର୍‌ ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ସେ ବାଟେ ଯାଉଥିବା ଭାଇଭଉଣୀଙ୍କ ଉପରେ ଧକ୍କା ଖାଇଥିଲା।

ପରେ ପରେ ସମ୍ପୃକ୍ତ ବାଇକ୍‌ ଆରୋହୀ ଓ ସ୍କୁଟର୍‌ ଚଳାଉଥିବା ଛାତ୍ରୀ ଘଟନାସ୍ଥଳର ଖସି ପଳାଇଥିଲେ। ଉଭୟଙ୍କର ପରିଚୟ ମିଳି ନାହିଁ। ସ୍ଥାନୀୟ ବ୍ୟବସାୟୀମାନେ ଆହତ ଭାଇଭଉଣୀଙ୍କୁ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୁହିଁଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ପଠାଇ ଦିଆଯାଇଛି। ଖବର ପାଇ ବିଞ୍ଝାରପୁର ପୁଲିସ ଘଟନାସ୍ଥଳରେ ପହଞ୍ଚିଛି। ସେଠାକାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଜଣାପଡ଼ିଛି।

By amfnews

Related Post