Sat. Mar 7th, 2026

ବସ୍‌ ଚକା ତଳେ ଯୁବକଙ୍କ ଜୀବନ ଗଲା:ଉତ୍ତେଜନା, ଚାଳକ ଗିରଫ

344 Views

କୋରେଇ, ଡିସେମ୍ବର ୧୪ : କୋରେଇ ଥାନା ଅନ୍ତର୍ଗତ ପାଟୁଳୀ ଛକ ନିକଟରେ ଆଜି ଏକ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ଯାଜପୁର ଟାଉନ୍‌ ଥାନା ଅନ୍ତର୍ଗତ ତଳିଆ ପଞ୍ଚାୟତ ଗୋପାଳପୁର ଗ୍ରାମର ନନ୍ଦ ରାଉତଙ୍କ ପୁଅ ସନ୍ତୋଷ ରଞ୍ଜନ(୨୫) ବୋଲି ଜଣପଡିଛି। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ । କୋରେଇ ପୁଲିସ୍‌ ଲୋକଙ୍କୁ ବୁଝାସୁଝା କରି ଯାତାୟାତ ସ୍ବାଭାବିକ କରିବା ସହ ଦୁର୍ଘଟଣା ଘଟାଇଥିବା ବସ୍‌ ଚାଳକଙ୍କୁ ଗିରଫ କରିଛି।

ଆଜି ସକାଳେ ସନ୍ତୋଷ ଏକ ବାଇକ୍‌ରେ ଯାଜପୁରରୋଡ ସ୍ଥିତ ନିଜ କାର୍ଯ୍ୟାଳୟକୁ ଆସୁଥିଲେ। ପାଟୁଳୀ ଛକ ନିକଟରେ ଥିବା ଏକ ଗାଡି ସୋରୁମ୍‌ ସାମ୍ନାରେ କେନ୍ଦୁଝର ଯାଉଥିବା ଏକ ଘରୋଇ ବସ୍‌ (ଓଆର‌୍‌ ୦୫ ଏସ୍‌ ୯୬୫୫) ସନ୍ତୋଷଙ୍କୁ ଧକ୍କା ଦେବାରୁ ସେ ବାଇକ୍‌ରୁ ଛିଟିକି ପଡି ବସ୍‌ର ଚକା ତଳେ ପଡିଥିଲେ। ଫଳରେ ସନ୍ତୋଷଙ୍କ ମୁଣ୍ତ ଉପରେ ବସ୍‌ଟି ଚଢିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କୋରେଇ ପୁଲିସ୍‌ ବ୍ୟାସନଗର ସ୍ଥିତ ଚୋରଦା ଛକ ଠାରେ ବସ୍‌କୁ କାବୁ କରିଥିଲା।

ପରେ ବସ୍‌ର ଚାଳକ ନୟାଗଡ଼ ଜିଲ୍ଲା ଓଡ଼ଙ୍ଗ ଥାନା ମଦନପୁର ଗ୍ରାମର ସନ୍ତୋଷ କୁମାର ସାହୁକୁ ଗିରଫ କରି ଥାନା କେସ୍‌ ନମ୍ବର ୨୫୦/୧୮ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସହିତ ବସ୍‌ଟିକୁ ମଧୢ ଅଟକ ରଖିଥିବା ଜଣାପଡିଛି। କୋରେଇ ପୁଲିସ୍‌ ଦାନଗଦି ଠାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ସନ୍ତୋଷ ଏକ ଘରୋଇ ଫାଇନାନ୍ସ୍‌ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ଘରର ବୁଢା ବାପା ମା’ଙ୍କ ସମେତ ୪ ଜଣ ଭଉଣୀଙ୍କ ଦାୟିତ୍ବ ମଧୢ ସନ୍ତୋଷଙ୍କ ଉପରେ ଥିଲା। ତାଙ୍କ ବିୟୋଗରେ ଅ˚ଚଳରେ ଶୋକର ଛାୟା ଖେଳିଯାଇଛି। ପୁଅର ମୃତ୍ୟୁ ଖବର ପାଇ ସନ୍ତୋଷଙ୍କ ବାପା ଓ ମା’ ମଧୢ ଅସୁସ୍ଥ ହୋଇପଡି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି।

By amfnews

Related Post