Sat. Mar 7th, 2026

ବରିଷ୍ଠ ଆଇନଜୀବୀ ରଜତ କୁମାର ରଥଙ୍କ ପରଲୋକ

246 Views

କଟକ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରଜତ କୁମାର ରଥଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇ ଯାଇଛି। ଶନିବାର ଅପରାହ୍ଣରେ ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ଆଡଭୋକେଟ୍ ରଥଙ୍କୁ ୬୯ ବର୍ଷ ହୋଇଥିଲା।

ଓଡ଼ିଶାର ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ସ୍ବର୍ଗତଃ ଗଙ୍ଗାଧର ରଥଙ୍କର ସୁପୁତ୍ର ଶ୍ରୀ ରଥଙ୍କର ଜନ୍ମ ୧୯୫୨ ମସିହାରେ ହୋଇଥିଲା। ୧୯୭୪ ମସିହାରେ ସେ ଓଡ଼ିଶା ହାଇକୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ଏହାପରେ ସେ ଜଣେ ସଫଳ ଆଇନଜୀବୀ ଭାବେ ପ୍ରସିଦ୍ଧି ଲାଭ କରିଥିଲେ।

କଟକ ଶେଖବଜାରସ୍ଥିତ ବାସଭବନରେ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ ଲାଗି ରଖାଯାଇଥିଲା। ଏହାପରେ କଟକ ସତୀଚଉରାରେ ଆଡଭୋକେଟ ରଥଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଶେଷକୃତ୍ୟ ସମୟରେ ହାଇକୋର୍ଟର ବିଚାରପତି ଡ. ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଢ଼ଙ୍ଗୀ, ବରିଷ୍ଠ ଆଇନଜୀବୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ଓ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ସ୍ବର୍ଗତଃ ରଜତ କୁମାର ରଥଙ୍କ ବିୟୋଗରେ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା ଶୋକ ପ୍ରକାଶ କରିଛନ୍ତି।

ଆଡଭୋକେଟ୍ ରଥଙ୍କ ବିୟୋଗରେ ଓଡ଼ିଶାର ଆଇନଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ କନ୍ୟା ଓ ପତ୍ନୀ ଉପସ୍ଥିତ ଥିଲେ।

By amfnews

Related Post