Tue. Mar 10th, 2026

ବରଗଡ଼ ଧନୁଯାତ୍ରା : କଂସ ଚୟନକୁ ନେଇ ବିବାଦ, ପ୍ରସ୍ତୁତି ବିଳମ୍ବିତ

206 Views

ବରଗଡ଼ : ଆସନ୍ତା ଡିସେମ୍ବର ୩୧ ତାରିଖରୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବ। ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ଏହି ମୁକ୍ତାକାଶ ରଂଗମଂଚର ମହୋତ୍ସବ ଚାଲିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଛି। କିନ୍ତୁ ଯେଉଁ ଭଳି ଭାବେ ପ୍ରସ୍ତୁତି ଆରମ୍ଭ ହେବା କଥା, ସେଭଳି ହୋଇନାହିଁ। କାରଣ ମୁଖ୍ୟ ଚରିତ୍ର କଂସ ଚୟନକୁ ନେଇ ବିବାଦ ଉପୁଜିଛି। ଗୋଟିଏ ପଟେ କଳାକାର ସମନ୍ବୟ ସମିତି କଂସ ଚୟନ ପାଇଁ ଘୋଷଣା କରି ସାରିଛି। ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ। ୨୦ ତାରିଖ ଭିତରେ କଂସ ଚୟନ ସାରିବାକୁ ଯୋଜନା ରହିଛି। ଏଣେ ବିଭିନ୍ନ କଳାକାର ସଂଘ ଏବଂ ସଂଗଠନ ଗୁଡ଼ିକ କଂସ ଚୟନକୁ ଖୋଲା ବିରୋଧ କରିଛନ୍ତି। ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ପୂର୍ବ ନିୟମାନୁସାରେ, ଯେହେତୁ ଜଣେ କଳାକାର ଚୟନ ହେଲା ପରେ କ୍ରମାଗତ ୩ବର୍ଷ କଂସ ଅଭିନୟ କରିଥାଏ। ଭୁବନେଶ୍ବର ପ୍ରଧାନ ଲଗାତାର ୨ବର୍ଷ ଅଭିନୟ କରିଥିବାବେଳେ ଏଥର ବି ତାଙ୍କୁ ସୁଯୋଗ ଦେବାକୁ ଗୋଟିଏ ଦୃଢ଼ ଯୁକ୍ତି ଉଠିଛି। କିନ୍ତୁ ଏଭଳି କିଛି ଲିଖିତ ତିନି ବର୍ଷିଆ ନିୟମ ନଥିବାରୁ ମାମଲା ଗୋଳମାଳିଆ ହୋଇଛି। ଚୟନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଏହାକୁ ରଦ୍ଦ କରି ଭୁବନେଶ୍ବରଙ୍କୁ ସୁଯୋଗ ଦେବାକୁ ଅନେକ ଦାବିପତ୍ର ଜିଲ୍ଲାପାଳଙ୍କ ପାଖରେ ପହଂଚିଛି। ଏହା ଉପରେ କିଭଳି ନିଷ୍ପତ୍ତି ହେଉଛି, ତାହା ୧୬ ତାରିଖ ଭିତରେ ହିଁ ସ୍ପଷ୍ଟ ହୋଇଯିବ।

ପୂର୍ବରୁ ଭିନ୍ନଭିନ୍ନ କାରଣରୁ କଂସମାନେ ବିବାଦକୁ ଆସିଥିଲେ। ଦମ୍‌ଦାର୍‌ ଅଭିନୟ କରୁଥିବା ଗୋପାଳ ସାହୁ (ଏଲି) ଅନ୍ୟତ୍ର ଏହି ଭୂମିକାରେ ଅବତୀର୍ଣ୍ଣ ହେବାରୁ ବିବାଦ ଆରମ୍ଭ ହୋଇଥିଲା। ବରଗଡ଼ରେ କଂସ ଭୂମିକା ତୁଲାଉଥିବା ଅଭିନେତା ଅନ୍ୟ କୌଣସି ସ୍ଥାନରେ କଂସ ହୋଇପାରିବେନି ବୋଲି ନିୟମ କରାଗଲା। ଏହି ଆଧାରରେ ଗୋପାଳ ସାହୁ ବିଦା ହୋଇଥିଲେ। ଏହାପରେ ପାଳି ପଡ଼ିଲା ହୃଷିକେଶ ଭୋଇଙ୍କର। ସେ ଯାଜପୁର ଜିଲ୍ଲାରେ କଂସ ଭାବେ ଦେଖା ଦେଇଥିଲେ। ତାଙ୍କୁ ମଧ୍ୟ ୨୦୧୭ ମସିହାରେ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା। ସେହିବର୍ଷ ଚୟନ ପ୍ରକ୍ରିୟା ପରେ କଂସ ଭୂମିକାରେ ଭୁବନେଶ୍ବର ପ୍ରଧାନ ମଂଚ ସମ୍ଭାଳିଥିଲେ। କିନ୍ତୁ ତିନିବର୍ଷ ବଦଳରେ ଦୁଇବର୍ଷ ତାଙ୍କୁ ସୁଯୋଗ ଦିଆଯିବାରୁ ବିବାଦର ସୂତ୍ରପାତ ହୋଇଛି।

By amfnews

Related Post