Thu. Jan 16th, 2025

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ୍ରୁ ୧୦ ହଜାର ଟଙ୍କା ଲୁଟ୍ ଅଭିଯୋଗ

By amfnews Jan 7, 2019 #Featured
107 Views

ରାଉରକେଲା, ୭ା୧ : ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ୩ ଜଣ ଲୁଟିଆ ୧୦ ହଜାର ଟଙ୍କା ଲୁଟି ନେଇଥିବା ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏନ୍ଏଚ୍-୧୪୩ ପାଶ୍ୱର୍ସ୍ଥ ବାଲୁଘାଟ ସ୍ଥିତ ରାଉରକେଲା ଫୁଏଲ୍ସ ପେଟ୍ରୋଲ ପମ୍ପରେ ଏହି ଲୁଟ୍ ଘଟଣା ଘଟିଛି । ଗତକାଲି ରାତିରେ ପେଟ୍ରୋଲ ପମ୍ପ୍ରେ ଅଳ୍ପ କେତେକ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସମୟରେ ମୁହଁରେ କପଡ଼ା ବାନ୍ଧି ଓ ଦେହରେ ଚଦର ଘୋଡ଼େଇ ୩ ଜଣ ଯୁବକ ଏନ୍ଏଚ୍ ଆଡ଼ୁ ଦୌଡ଼ି ଦୌଡ଼ି ପମ୍ପ ଭିତରକୁ ପଶିଥିଲେ । ସେତେବେଳେ ପମ୍ପ୍ର ଜଣେ ସେଲ୍ସ ବୟ ସେମାନଙ୍କ ହାବୁଡ଼ରେ ପଡ଼ିଥିଲେ । ତାଙ୍କୁ ବନ୍ଧୁକ ଦେଖାଇ ଯାହା ଅଛି ଦେଇ ଦେବାକୁ ଧମକ ଦେଇଥିଲେ ।

ତାଙ୍କ ପାଖରେ ଟଙ୍କା ନଥିବା କର୍ମଚାରୀ ଜଣକ କହିଥିଲେ । ତେଣୁ ସେମାନେ ସଂଘବଦ୍ଧ ଭାବେ ଅଫିସ ଭିତରକୁ ଧସେଇ ପଶି ଥିଲେ । କ୍ୟାସ୍ କାଉଣ୍ଟରରେ ଥିବା କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅନୁରୂପ ଧମକ ଦେଇଥିଲେ । ଟଙ୍କା ନଦେଲେ ଗୁଳି କରି ଦେବୁ ବୋଲି ଦୁର୍ବୁତ୍ତମାନେ କହିଥିଲେ । ଏଥିରେ କର୍ମଚାରୀ ଜଣକ ଛାନିଆଁ ହୋଇପଡ଼ିଥିଲେ । ପରେ ଦୁବୃର୍ତ୍ତମାନେ କ୍ୟାସ କାଉଣ୍ଟରରେ ଥିବା ୧୦ ହଜାର ଟଙ୍କା ହାତ ପୁୁରାଇ ନେଇଯାଇ ସେଠାରୁ ଫେରାର୍ ହୋଇଯାଇଥିଲେ । ଟଙ୍କା ପମ୍ପରୁ ନେବା ପରେ ସେମାନେ ଦୌଡ଼ି ଦୌଡ଼ି ଏନ୍ଏଚ୍ ଆଡ଼କୁ ଦୌଡ଼ି ଥିଲେ ।

ସମ୍ଭବତଃ ସେମାନେ ଏନ୍ଏଚ୍ ଉପରେ ଗାଡ଼ି ରଖି ଲୁଟ୍ କରିବାକୁ ଆସିଥିଲେ ବୋଲି ଅନୁମାନ କରାଯାଉଛି । ସେତେବେଳେ ପମ୍ପରେ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବାରୁ ସେମାନଙ୍କୁ ପିଛା କରିବାକୁ ସାହସ କରିନଥିଲେ । ଏ ସମ୍ପର୍କରେ ଖବର ପାଇ ରଘୁନାଥପାଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ରୁ ୩ ଜଣ ଲୁଟେରା ଥିବା ଜାଣିପାରିଛି । ମାତ୍ର ସେମାନେ ମୁହଁରେ କପଡ଼ା ଓ ଦେହରେ ଚଦର ଘୋଡ଼େଇ ହୋଇଥିବାରୁ ସେମାନଙ୍କ ଚେହେରା ବାରି ପାରିନାହିଁ । ତେବେ ପେଟ୍ରୋଲ ପମ୍ପ୍ ମାଲିକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

By amfnews

Related Post