Tue. Jan 14th, 2025

ବନ୍ଦେ ଉକ୍ରଳ ଜନନୀ ସଙ୍ଗୀତକୁ ବିଧାନସଭାରେ ଆଇନ ସିଦ୍ଧ କରାଯାଉ : ଓଡ଼ିଆ ଭାଷା ବିକାଶ ମଞ୍ଚ

rklsanchar@gmail.com' By J.N. Pradhan Jul 4, 2018 #Featured
188 Views

ରାଉରକେଲା, ୪/୭: ଏକଦା ଓଡ଼ିଆ ଭାଷାକୁ ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନକୁ ବିରୋଧ କରି ସମ୍ବଲପୁରର ଗଙ୍ଗାଧର ମେହେର ତଥା ସେଠାକାର ପଞ୍ଚସଖା ଓ ଜନସାଧାରଣଙ୍କ ବିରୋଧ ଯୋଗୁଁ ସମ୍ବଲପୁରରେ ୧୯୦୧ ମସିହାରେ ପୁନଃ ଓଡ଼ିଆ ଭାଷା ପ୍ରଚଳନ କରାଯାଇଥିଲା । ପ୍ରକାରାନ୍ତେ କହିବାକୁ ଗଲେ ସମ୍ବଲପୁରରୁ ହିଁ ଓଡ଼ିଆ ଭାଷା ପ୍ରଚଳନ ପାଇଁ ପ୍ରଥମେ ଗଙ୍ଗାଧର ମେହେର ସ୍ୱର ଉତ୍ତୋଳନ କରିଥିଲେ ।

କ୍ରମଶଃ ତାହା ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ନୀଳମଣି ବିଦ୍ୟାରତ୍ନ, ମଧୁସୂଦନ ରାଓ, ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ଗୋଦାବରୀଶ ମିଶ୍ର ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇ ସମଗ୍ର ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିଥିଲେ । ଏହି ପ୍ରମୁଖ ମହାମନିଷୀଙ୍କ ଉଦ୍ୟମ ଯୋଗୁଁ ସମଗ୍ର ଭାରତବର୍ଷରେ ୧୯୩୬ ମସିହା ଏପ୍ରଲ ୧ ତାରିଖରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠନ କରାଯାଇଥିଲା  । ଉତ୍କଳ, ଉଡ୍ର, କଳିଙ୍ଗ, ଓଡ଼ିଶା ଆଦି ନାମରେ ଆମର ଏ ପ୍ରଦେଶ  । ଉତ୍କଳୀୟ ପରମ୍ପରା ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ଓ ବଳିଷ୍ଠ ପରମ୍ପରାରେ ଖ୍ୟାତି ଲାଭ କରିଛି  ।

ଉତ୍କଳ ବା ଉତ୍କଳୀୟ କହିଲେ ଓଡ଼ିଶାବାସୀ ନିଜକୁ ଗର୍ବ ଅନୁଭବ କରନ୍ତି । ତେବେ ଗତ କିଛି ବର୍ଷ ହେଲା ଓଡ଼ିଶାକୁ ବିକଳାଙ୍ଗ କରିଦେବାକୁ କିଛି ମୁଷ୍ଟିମେୟ ଲୋକ ଯେଉଁ ହୀନ ପ୍ରୟାସ ଜାରି ରଖିଛନ୍ତି ତାହା ନିଶ୍ଚୟ ନିନ୍ଦନୀୟ । ପଶ୍ଚିମାଞ୍ଚଳର କିଛି ଅଞ୍ଚଳକୁ କୋଶଳ ରାଜ୍ୟ ବୋଲି ଦାବି କରିବା, ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରି ବନ୍ଦେ ଓଡ଼ିଶା ଜନନୀ ବୋଲି ଗାନ କରିବା ପାଇଁ ଦାବି କରିବା ଓ ଏଥିରେ ଲୋକପ୍ରତିନିଧି ଏଥିରେ ସଂଶ୍ଲିଷ୍ଟ ହେବା, ନିଶ୍ଚୟ ମାରାତ୍ମକ କଥା । କେବଳ ନିଜର ଭୋଟ କାଗଜକୁ ସୁରକ୍ଷିତ ରଖିବା ପାଇଁ ଏଭଳି ହୀନ ପ୍ରୟାସ କରାଯାଉଥିବା ଜନସାଧାରଣରେ ଅଧିକ ଆଲୋଚନା ହେଉଛି ।

ଯଦି ସେହିଭଳି ପ୍ରସଙ୍ଗ ଉଠାଇ ପୂର୍ବାଞ୍ଚଳ ଜିଲାଗୁଡ଼ିକ ଜଗନ୍ନାଥ ଆମର, ଲକ୍ଷ୍ମୀ ଆମର ଓ ଭାଗବତ କେବଳ ପୂର୍ବାଞ୍ଚଳର ବୋଲି ଦାବି କରିବା ଅଯୌକ୍ତିକ ହେବ କି? ଏହାପରେ କ’ଣ ପଶ୍ଚିମାଞ୍ଚଳ ବା କୋଶଳ ରାଜ୍ୟ ଦାବି କରୁଥିବା ଲୋକେ ଜଗନ୍ନାଥ, ଲକ୍ଷ୍ମୀ ବା ଭାଗବତକୁ ଛାଡ଼ି ପାରିବେ କି? ତେଣୁ କେବଳ ନିଜର ସ୍ଥିତିକୁ ସୁରକ୍ଷିତ ରଖିବା ଲାଗି ଶାସକ ଦଳର ଜଣେ ମନ୍ତ୍ରୀ ଏଭଳି ମନ୍ତବ୍ୟ ରାଜ୍ୟକୁ ବିଭାଜିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଧରାଯାଉଛି । ଏପରି ସ୍ଥଳେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଓଡ଼ିଆ ଭାଷା ବିକାଶ ମଞ୍ଚ ଏହାକୁ ଘୋର ବିରୋଧ କରାଯିବା ସହ ପରସ୍ପର ମଧ୍ୟରେ ବିଭେଦର ରେଖା ଟାଣୁଥିବା ନେତାଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଓଡ଼ିଶା ବାସୀଙ୍କୁ ଆହ୍ୱାନ ଦିଆଯାଉଛି ।

ମଧୁସୂଦନ ଦାସ, ଗଙ୍ଗାଧର ମେହେରଙ୍କ ସମେତ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳର ବରପୁତ୍ର ମାନଙ୍କ ଅନୁଷ୍ଠାନ ଥିଲା ଉତ୍କଳ ସମ୍ମିଳନୀ । ଓଡ଼ିଶାର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣାଞ୍ଚଳର ଜନସାଧାରଣଙ୍କୁ ନେଇ ଉତ୍କଳ ପ୍ରଦେଶ ବା ଓଡ଼ିଶା ପ୍ରଦେଶ ଗଠନ ହୋଇଛି । ସେହି ପୂର୍ବସୁରୀମାନଙ୍କ ଉତ୍ତର ଦାୟାଦ ଭାବରେ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କ ନୈତିକ ଦାୟିତ୍ୱ ହେଉଛି ଓଡ଼ିଶାର ଜାତୀୟ ସଂହତିକୁ ଅକ୍ଷୂର୍ଣ୍ଣ ରଖିବା । ତେବେ ଦୀର୍ଘ ଦିନରୁ ଓଡ଼ିଶାର ଜାତୀୟ ସଂଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ବଦଳରେ ବନ୍ଦେ ଓଡ଼ିଶା ଜନନୀ ଗାଇବା ନିଶ୍ଚୟ ଶ୍ରୁତିକଟୁ ହେବ  ।

ଦେଶର ଜାତୀୟ ସଙ୍ଗୀତ “ଜନଗଣ ମନ ଅଧିନାୟକ” ରୁ ଉତ୍କଳ ଶବ୍ଦ କାଢ଼ି ପାରିବା କି ? ତେଣୁ ଏଭଳି ହୀନ ମନ୍ତବ୍ୟ ଦେବାରୁ ବିରତ ରହି ରାଜ୍ୟକୁ କିପରି ଏକ ସୁଦୃଢ଼, ସ୍ୱାବଲମ୍ବୀ କରାଯାଇ ପାରିବ ତାହା ନେତା ଠାରୁ ଜନସାଧାରଣ ସମସ୍ତେ ଧ୍ୟାନ ଦେବା ଉଚିତ୍ । ଏଣୁ ମନ୍ତ୍ରୀଙ୍କ ଏଭଳି ବିବୃତି ହାସ୍ୟାସ୍ପଦ ଓ ଗ୍ରହଣୀୟ ନୁହେଁ ଏବଂ ବନ୍ଦେ ଉକ୍ରଳ ଜନନୀ ଜାତୀୟ ସଂଗୀତକୁ ଶୀଘ୍ର ବିଧାନସଭାରେ ଆଇନସିଦ୍ଧ କରାଯାଉ ବୋଲି ମଞ୍ଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର, ସଭାପତି ପ୍ରଶାନ୍ତ କୁମାର ପତି, କେଦାରନାଥ ପ୍ରଧାନ, ବଳରାମ ରାଉଳ, ଚନ୍ଦ୍ରଶେଖର ପାଇକରାୟ, ରମେଶଚନ୍ଦ୍ର ମାଝି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

Related Post