Wed. Nov 27th, 2024

ବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ଗଳିତ ଶବ ଜବତ

By amfnews Oct 26, 2018 #Featured
134 Views

ରାଉରକେଲା,୨୬ା୧୦ : ଏକ ବନ୍ଦ ଘର ଭିତରୁ ଛେଣ୍ଡ ପୁଲିସ ଜଣେ ଯୁବକଙ୍କ ଗଳିତ ଶବ ଜବତ କରିଛି । ମୃତ ବ୍ୟକ୍ତି ହେଲେ ସନ୍ତୋଷ ରଜାକ (୪୨) । ତାଙ୍କ ପତ୍ନୀ ଓ ପିଲାମାନେ ବିହାର ଗୟାସ୍ଥିତ ଗାଁକୁ ଚାଲି ଯାଇଥିବା ବେଳେ ସନ୍ତୋଷଙ୍କ ଝୁଲନ୍ତା ଶବ ଆଜି ତାଙ୍କ କ୍ୱାର୍ଟର ଭିତରୁ ଉଦ୍ଧାର କରାଯାଇଛି । ପୁଲିିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ତାଙ୍କ ପତ୍ନୀଙ୍କୁ ଅପେକ୍ଷା କରିଛିି । ସେ ବିହାରରୁ ରାଉରକେଲା ଫେରିବା ପରେ ତଦନ୍ତ ତ୍ୱରାନ୍ୱିତ ହେବ ବୋଲି ଖବର ମିଳିଛି । ବିହାର ଗୟା ଅଞ୍ଚଳର ମୂଳ ବାସିନ୍ଦା ସନ୍ତୋଷ ଛେଣ୍ଡ କଲୋନୀ ଏଲ୍ସିଆର୍-୨୧୫ରେ ପତ୍ନୀ, ଛୋଟ ଛୋଟ ୨ ଝିଅ ଓ ଗୋଟିଏ ପୁଅ ସହିତ ରହୁଥିଲେ । କ୍ୱାର୍ଟର ନିଜର ହୋଇଥିବାରୁ ସେଠାରେ ସେ ଲଣ୍ଡ୍ରି କାମ କରୁଥିଲେ । ଓଡ଼ିଶା ଲଣ୍ଡ୍ରି ନାଁରେ ଦୋକାନ କରି ଉଭୟ ପତି-ପତ୍ନୀ ଦୋକାନରେ କାମ କରୁଥିଲେ ।

ଏହା ସହିିତ ସନ୍ତୋଷ ପାୱାର ହାଉସ୍ ରୋଡ଼ ଗୁରୁଦ୍ୱାରା ନିକଟରେ ଟିଭି ସମେତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଦୋକାନରେ ମରାମତି କାମ କରୁଥିଲେ । ଗତ ଶନିବାର ରାତିରେ ତାଙ୍କ ପତ୍ନୀ ଦୁଇ ଝିଅ ଓ ପୁଅକୁ ଧରି ବିହାର ଗୟାସ୍ଥିତ ନିଜ ଗାଁକୁ ଯାଇଥିବା ବେଳେ ସନ୍ତୋଷ ଘରେ ଏକା ଥିଲେ । ରବିବାର ସକାଳେ ସନ୍ତୋଷ ପାୱାର ହାଉସ୍ ରୋଡ଼ରେ ରହୁଥିବା ଦୁଇ ଭାଇ ଓ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ସନ୍ତୋଷଙ୍କୁ ପାଖପଡ଼ିଶା ଦେଖିଛନ୍ତି । ଘରର ଗ୍ରୀଲ ଗେଟ୍ରେ ତାଲା ପଡ଼ିଥିଲା । ଦୁଇଟି ଯାକ କବାଟ ଭିତରୁ ବନ୍ଦ ରହିଥିଲା । ଗୋଟିଏ କବାଟ ତଳ ଆଡ଼ୁ ବାହାରକୁ ରକ୍ତ ଧାର ଛୁଟି ଥିବା ପଡୋଶୀ ଦେଖି ଭୟଭୀତ ହୋଇ ପୁଲିସକୁ ଖବର ଦେଇଥିଲେ ।

ଆଇପିଏସ୍ ପଦ୍ମିନୀ ସାହୁ ଓ ଛେଣ୍ଡ ଥାନାର ଅନ୍ୟାନ୍ୟ ଅଧିକାରୀମାନେ ସେଠାରେ ପହଞ୍ଚି ପାୱାର ହାଉସ୍ ରୋଡ଼ରେ ରହୁଥିବା ତାଙ୍କ ଭାଇମାନଙ୍କୁ ଡକାଇଥିଲେ । ସେମାନଙ୍କ ଉପସ୍ଥିତିରେ ପୁଲିସ ଘର ଭିତରେ ପଶିଥିଲା । ଘରର ଏକ ଫ୍ୟାନରେ ସନ୍ତୋଷଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା । ଶବଟି ପଚିଯାଇ ଦୁର୍ଗନ୍ଧ ହେଉଥିଲା । ସନ୍ତୋଷ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । କିଛି ଦିନ ପୂର୍ବେ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଶୁଣାଯାଉଛି । ଏହା ପରେ ପତ୍ନୀ ପିଲାଛୁଆଙ୍କୁ ଧରି ଗାଁକୁ ଚାଲିଯାଇଛନ୍ତି ଶୁଣିବାକୁ ମିଳୁଛି । ପାରିବାରିକ ଅଶାନ୍ତିରୁ ସନ୍ତୋଷ ଏପରି ସାଂଘାତିକ ପଦକ୍ଷେପ ନେଇଥିବା ପୁଲିସ ଅନୁମାନ କରୁଛି ।

By amfnews

Related Post