Wed. Mar 11th, 2026

ଫେସ୍‌ବୁକ୍‌ରେ ପ୍ରେମ କରି ନୂଆପଡ଼ା ନାବାଳିକାକୁ ଅପହରଣ କରିନେଉଥିବା ପଶ୍ଚିମବଙ୍ଗର ଯୁବକ ଗିରଫ

145 Views

ନୂଆପଡ଼ା: ଫେସ୍‌ବୁକ୍‌ ଜରିଆରେ ପ୍ରେମ କରି ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ଅନ୍ତର୍ଗତ ଶିଙ୍ଗପୁର ଗ୍ରାମରୁ ଜଣେ ନାବାଳିକାକୁ ପଶ୍ଚିମବଙ୍ଗର ଜଣେ ଯୁବକ ଅପହରଣ କରିନେଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି।

ବେଲଟୁକୁରି ଥାନା ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଥିବା କଥା ଥାନା ଅଧିକାରୀ ଶୁଭଙ୍କର ସେଠୀ କହିଛନ୍ତି।

ଥାନାରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୬ ମାସ ତଳେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦଯୋଟ ଗ୍ରାମର ୨୨ ବର୍ଷିୟ ମହମ୍ମଦ ଅମତାରୁଲ୍‌ ଓ ଶିଙ୍ଗପୁର ଗ୍ରାମର ଜଣେ ନାବାଳିକା ଫେସ୍‌ବୁକ୍‌ ଜରିଆରେ ବନ୍ଧୁ ହୋଇଥିଲେ। କ୍ରମଶଃ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ନାବାଳିକା ପ୍ରେମିକାକୁ ଭେଟିବାକୁ ଅମତାରୁଲ୍‌ ଗତ ୧୨ ତାରିଖ ଦିନ ଶିଙ୍ଗପୁର ଗାଁକୁ ଆସି ତାକୁ ନେଇ ପଳାଉଥିଲେ। ଗାଁ ଲୋକେ ଏହା ଜାଣିପାରି ଉଭୟଙ୍କୁ ଧରି ପୁଲିସକୁ ଖବର ଦେଇଥିଲେ।

ନାବାଳିକା ବାପା ଏ ସଂକ୍ରାନ୍ତରେ ବେଲଟୁକୁରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରେମିକ ଅମତାରୁଲଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ଝିଅକୁ ନେବାକୁ ଆସିଥିବା କଥା ସେ ସ୍ୱୀକାର କରିବା ପରେ ପୁଲସି ତାଙ୍କୁ ଗିରଫ କରି ମାମଲା ରୁଜୁ କରିବା ପରେ କୋର୍ଟ ଚାଲାଣ କରିଛି।

By amfnews

Related Post