Wed. Mar 11th, 2026

ଫିରୋଜପୁରରେ ଉଡ଼ିଲା ପାକିସ୍ତାନ ଡ୍ରୋନ୍‌, ହାଇଆଲର୍ଟରେ ବିଏସ୍‌ଏଫ୍‌

207 Views

ଅମୃତସର: ପୁଣିଥରେ ସୀମା ଲଙ୍ଘିବାକୁ ଉଦ୍ୟମ କରିଛି ପାକିସ୍ତାନ। ଆଜି ପାକିସ୍ତାନ-ପଞ୍ଜାବ ସୀମାନ୍ତରେ ଇସଲାମାବାଦର ଏକ ଡ୍ରୋନ ଉଡ଼ୁଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଛନ୍ତି। ପଞ୍ଜାବର ଫିରୋଜପୁରର ହୁସୱାନିୱାଲା ସୀମାନ୍ତ ଏଚକେ ଟାୱାର ନିକଟରେ ଏହି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ବେଳେ ସୁରକ୍ଷାକର୍ମୀଙ୍କ ନଜର ଏହା ଉପରେ ପଡ଼ିଛି।

ଏହି ଖବର ପରେ ବିଏସ୍‌ଏଫ୍‌ ଯବାନଙ୍କୁ ହାଇଆଲର୍ଟ ଜାରି କରାଯାଇଛି। ଭାରତ ଓ ପାକିସ୍ତାନ ସୀମାନ୍ତରେ ୫ଥର ଉଡ଼ିଥିବା ଏହି ଡ୍ରୋନ୍‌ଟି ଗୋଟିଏ ଥର ଭାରତୀୟ ସୀମାରେ ମଧ୍ୟ ପ୍ରବେଶ କରିଥିଲା। ପ୍ରଥମେ ଏହା ପାକିସ୍ତାନ ସୀମାରେ ରାତି ୧୦ରୁ ୧୦.୪୦ ପର୍ଯ୍ୟନ୍ତ ଉଡ଼ିଥିଲା।

ଏହାପରେ ପୁଣିଥରେ ରାତି ୧୨.୧୫ରେ ଡ୍ରୋନଟି ସୀମାରେ ଉଡ଼ିବା ସହ ଭାରତ ମଧ୍ୟରେ ପ୍ରବେଶ କରିଥିଲା। ବିଏସଏଫ୍‌ ଯବାନମାନେ ଏହା ଦେଖିବା ପରେ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ।

ରାତିରେ ଏହି ସୂଚନା ମିଳିବା ପରେ ଆଜି ସକାଳୁ ସୀମାନ୍ତ ଅଞ୍ଚଳରେ ବିଏସ୍‌ଏଫ୍‌ ଓ ପଞ୍ଜାବ ପୁଲିସ୍‌ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। କାଳେ ପାକିସ୍ତାନୀ ଡ୍ରୋନ ଆତଙ୍କୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର କିମ୍ବା ଡ୍ରଗ୍ସ ପକାଇଛି, ତା’ର ଛାନଭିନ କରାଯାଉଛି।

କିଛିଦିନ ତଳେ ପଞ୍ଜାବ ପୁଲିସ୍‌ ପାକିସ୍ତାନ ପଠାଇଥିବା ଦୁଇଟି ଚାଇନା ନିର୍ମିତ ଡ୍ରୋନ ଠାବ କରିଥିଲା। ଏହି ଡ୍ରୋନ ଦ୍ୱାରା ଆତଙ୍କୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ପଠା ଯାଇଥିଲା। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ସୀମାନ୍ତରେ ଯବାନମାନଙ୍କୁ ହାଇଆଲର୍ଟରେ ରହିବାକୁ କୁହାଯାଇଥିଲା। ଏପରି ସ୍ଥିତିରେ ପୁଣି ଏକ ପାକିସ୍ତାନ ଡ୍ରୋନ୍‌ ସୀମାରେ ଉଡ଼ିବା ଭାରତୀୟ ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

By amfnews

Related Post