Mon. Mar 9th, 2026

ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

190 Views

ଭୁବନେଶ୍ୱର : ଲକ୍‌ଡାଉନ୍‌ ଯୋଗୁଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ଫସି ରହିଛନ୍ତି ଅନେକ ଓଡ଼ିଆ। ସେମାନେ ଏବେ ଓଡ଼ିଶା ଫେରିବାକୁ ବିଭିନ୍ନ ସୋଶାଲ ମିଡ଼ିଆରେ ଆକୁଳ ନିବେଦନ କରୁଛନ୍ତି। ଏନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଫସି ରହିଥିବା ଓଡ଼ିଆଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖିଛନ୍ତି। ଏହାଛଡ଼ା ସେ ଅନୁରୋଧ କରିଛନ୍ତି, ଓଡ଼ିଆ ଭାଇ ଓ ଭଉଣୀଙ୍କ ସୁରକ୍ଷା ଏବଂ ଖାଇବା ପିଇବାରେ ଯାହା ଅର୍ଥ ଦରକାର ଓଡ଼ିଶା ସରକାର ଭରଣା କରିବ।

ଏହାଛଡ଼ା ଓଡ଼ିଶାରେ ଫସି ରହିଥିବା ବାହାର ରାଜ୍ୟର ଲୋକଙ୍କୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଭରଣ ପୋଷଣ ଯୋଗାଇ ଦିଆଯିବ। ଏସମ୍ପର୍କରେ ସବୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।

ସୂଚନାରୁ ପ୍ରକାଶ, ରାଜ୍ୟ ବାହାରେ ଫସିରହିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଗତକାଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏପରିକି ସେମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ସେଥିପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନରୋଧ କରିଥିଲେ।

ସୂଚନାଯୋଗ୍ୟ, କରୋନା ପାଇଁ ପୂରା ଦେଶକୁ ଲକ୍‌ଡାଉନ୍‌ ହୋଇଯାଇଛି। ଏହାଫଳରେ କେହି କୁଆଡ଼େ ଯାଇପାରୁନାହାନ୍ତି। ଆମ ରାଜ୍ୟର ବହୁ ଓଡ଼ିଆ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନେ ସୋଶାଲ ମିଡିଆରେ ଭିଡିଓ ଛାଡ଼ି ଉଦ୍ଧାର କରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ।

By amfnews

Related Post