Sat. Mar 7th, 2026

ପଡ଼ୋଶୀ ରାଜ୍ୟରୁ ଓଡ଼ିଶାକୁ ଆସୁଛି ମାଛ, ଅଣ୍ଡା

166 Views

ଭୁବନେଶ୍ବର : ରାଜ୍ୟରେ ମାଛ ଓ ଅଣ୍ଡା ଉତ୍ପାଦନ ବଢ଼ାଇବା ପାଇଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଉଥିଲେ ବି ଓଡ଼ିଶା ଏ ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ ହୋଇପାରିନି। ପ୍ରତି ବର୍ଷ ଉତ୍ପାଦନ ହାର ବଢ଼ୁଥିଲେ ମଧ୍ୟ ତାହା ଯଥେଷ୍ଟ ହେଉ ନାହିଁ। ଦୈନନ୍ଦିନ ଚାହିଦା ମେଣ୍ଟାଇବାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ‌ଅରୁଣ କୁମାର ସାହୁ ଦେଇଥିବା ତଥ୍ୟକୁ ଏମିତି ଚିତ୍ର ଦେଖିବାକୁ ମିଳିଛି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ରାଜ୍ୟରେ ୬,୧୦,୬୪୮ ମେଟ୍ରିକ୍ ଟନ୍ ମାଛର ଚାହିଦା ଥିଲା। ଏହି ବର୍ଷ ରାଜ୍ୟରେ ମୋଟ ୭,୫୮,୯୬୨ ମେଟ୍ରିକ ଟନ୍ ମାଛ ଉତ୍ପାଦନ ହୋଇଛି। ସେଥି ମଧ୍ୟରୁ ମଧୁର ମାଛର ପରିମାଣ ହେଉଛି ୫,୦୬,୬୦୮ ମେଟ୍ରିକ୍ ଟନ୍। ଅବଶିଷ୍ଟ ୨,୫୨,୩୫୪ ମେଟ୍ରିକ୍ ଟନ୍ ହେଉଛି ସାମୁଦ୍ରିକ ମାଛ। ମଧୁର ମାଛ ମଧ୍ୟରୁ ୪୪,୯୬୫ ମେଟ୍ରିକ୍ ଟନ୍ ମାଛ ବିଦେଶ ଓ ପଡ଼ୋଶୀ ରାଜ୍ୟକୁ ରପ୍ତାନୀ କରିବା ପରେ ରାଜ୍ୟରେ ୪,୬୧,୬୪୩ ମେଟ୍ରିକ୍ ଟନ୍ ଉପଲବ୍ଧ ହୋଇଛି। ରାଜ୍ୟରେ ଅଧିକ ମଧୁର ମାଛର ଚାହିଦା ଥିବାରୁ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ୨୦୧୮-୧୯ ବର୍ଷରେ ୪୯,୬୦୭ ମେଟ୍ରିକ୍ ଟନ୍ ମଧୁର ମାଛ ବ୍ୟବସାୟୀମାନେ ଆଣି ରାଜ୍ୟର ଚାହିଦା ମେଣ୍ଟାଇଥିଲେ। ଆନ୍ଧ୍ରପ୍ରଦେଶରୁ ୪୮,୭୨୫ ମେଟ୍ରିକ୍ ଟନ୍, ପଶ୍ଚିମବଙ୍ଗରୁ ୮୨୨ ମେଟ୍ରିକ୍ ଟନ୍ ଓ ଛତିଶଗଡ଼ରୁ ୬୦ ମେଟ୍ରିକ୍ ଟନ୍ ମାଛ ଓଡ଼ିଶାକୁ ଆସିଥିଲା। ସେହିପରି ରାଜ୍ୟର ବାର୍ଷିକ ଅଣ୍ଡାର ଚାହିଦା ୩୧,୩୯୦ ଲକ୍ଷ(ଦୈନିକ ୮୬ ଲକ୍ଷ) ଥିବା ବେଳେ ବାର୍ଷିକ ୨୩,୭୨୫ ଲକ୍ଷ(ଦୈନିକ ୬୫ ଲକ୍ଷ) ଅଣ୍ଡା ଉତ୍ପାଦିତ ହେଉଛି। ଅବଶିଷ୍ଟ ୭,୬୬୫ ଲକ୍ଷ(ଦୈନିକ ୨୧ ଲକ୍ଷ) ଅଣ୍ଡା ପଡ଼ୋଶୀ ରାଜ୍ୟରୁ ଆମଦାନୀ କରାଯାଉଛି।

By amfnews

Related Post