Sun. Nov 24th, 2024

ପ୍ଲାଷ୍ଟିକ୍ ଫ୍ରି ସମ୍ଭବ ଅଭିଯାନ ଜରିଆରେ ସଫେଇ କାର୍ଯ୍ୟକ୍ରମ

By amfnews Sep 24, 2018 #Featured
193 Views

ମହାନଗର ନିଗମର ଏହି ଅଭିଯାନକୁ ସଫଳ କରିବାକୁ ସମସ୍ତେ ଆଗେଇ ଆସନ୍ତୁ – ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ
ରାଉରକେଲା, ୨୪ା୯ : ସହରରେ ନିଷିଦ୍ଧ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବା ପାଇଁ ରାଉରକେଲା ମହାନଗର ନିଗମ ତଥା ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍ ଫ୍ରି ସମ୍ଭବ ଅଭିଯାନ ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଆମ୍ବେଦକର ଛକ ନିକଟରେ ଏକ ସଫେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ବିଶିଷ୍ଟ ହକି ତାରକା, ପୂର୍ବତନ ରାଜ୍ୟସଭା ସାଂସଦ ତଥା ଓଡିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଭିନ୍ନ ସଙ୍ଗଠନର ସ୍ୱେଚ୍ଛାସେବୀମାନଙ୍କୁ ଉଦ୍ବୋଧନ ଦେଇ ପଦ୍ମଶ୍ରୀ ଶ୍ରୀ ତିର୍କୀ କହିଲେ ଯେ, ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର ଦ୍ୱାରା ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ବର୍ଜ୍ୟବସ୍ତୁ ପରିଚାଳନାରେ ମଧ୍ୟ ପ୍ଲାଷ୍ଟିକ୍ ବାଧକ ସାଜୁଛି । ତେଣୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ରାଉରକେଲା ମହାନଗର ନିଗମକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କ ଯେଉଁ ପରିକଳ୍ପନା ତଥା ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍ ଫ୍ରି ସମ୍ଭବ ଅଭିଯାନକୁ ସଫଳ କରିବା ଲାଗି ସମାଜର ସବୁ ବର୍ଗର ଲୋକେ ଆଗେଇ ଆସିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ମହାନଗର ନିଗମର କମିଶନର ରଶ୍ମିତା ପଣ୍ଡା ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ସହରବାସୀଙ୍କୁ ଏହି ଅଭିଯାନରେ ସାମିଲ୍ ହୋଇ ଏକ ସ୍ୱଚ୍ଛ ତଥା ନିଷିଦ୍ଧ ପ୍ଲାଷ୍ଟିକ୍ ମୁକ୍ତ ରାଉରକେଲା ଗଠନ ଦିଗରେ ସହାୟତାର ହାତ ବଢାଇବାକୁ ଆହ୍ୱାନ ଦେଇଥିଲେ । ଏଥିସହ ଶ୍ରୀମତୀ ପଣ୍ଡା କହିଲେ ଯେ, ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ସାଧାରଣ ଭାବେ ଜିନିଷପତ୍ର ନେବାଆଣିବା ପାଇଁ ବ୍ୟବହାର ହୋଇଆସୁଥିବା ପଲିଥିନ ଜରି ବ୍ୟାଗ୍, ପ୍ଲାଷ୍ଟିକ୍ ଓ ଥର୍ମୋକୁଲରେ ତିଆରି କପ୍, ପ୍ଲେଟ୍, ଗ୍ଲାସ୍, ଷ୍ଟ୍ର, ପାଣି ପାଉଚ୍, ଗିନା, ଚାମଚ, ଥର୍ମୋକୁଲ ତିଆରି ସାଜସଜ୍ଜା ସାମଗ୍ରୀ, ୫୦୦ ମିମିଲିଟରରୁ କମ୍ ଧାରଣ କ୍ଷମତା ବିଶିଷ୍ଟ ପିଇବା ପାଣି ବୋତନ, ୫୦ ମାଇକ୍ରନ୍ସରୁ କମ୍ ପତଳା ପଲିଥିନ୍ ସିଟ୍ ଆଦିର ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହେବ । ସଫେଇ କାର୍ଯ୍ୟକ୍ରମ ଆମ୍ବେଦକର ଛକ ଠାରୁ ଆରମ୍ଭ ହୋଇ ଡେଲି ମାର୍କେଟ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ରାଉରକେଲା ସ୍ପୋର୍ଟସ୍ ଆସୋସିଏସନ, ଫିଡ୍ ବ୍ୟାକ ଫାଉଣ୍ଡେସନ, ବିଜୁ ଯୁବ ବାହିନୀ ଆଦି ସଙ୍ଗଠନ ସଦସ୍ୟମାନେ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ପ୍ଲାଷ୍ଟିକ୍ ବର୍ଜନ ନିମନ୍ତେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏଥିସହ ବ୍ୟବସାୟୀମାନଙ୍କୁ ପଲିଥିନ ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ସ୍ପୋର୍ଟସ୍ ଆସୋସିଏସନ ସଭାପତି ମିହିର ରାୟ, ଜାତୀୟ ଆଥଲେଟିକ୍ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ରାଉରକେଲା ମହାନଗର ନିଗମ ଉପାୟୁକ୍ତ ସୀତାଦେବୀ ମାଝି, ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ମହାନଗର ନିଗମ ପକ୍ଷରୁ ପ୍ଲାଷ୍ଟିକ୍ ଫ୍ରି ସମ୍ଭବ ନାମରେ ଏକ ସଚେତନତା ଅଭିଯାନ ଜୋରସୋରରେ ଚାଲିଥିବା ବେଳେ ଏହା ମାଧ୍ୟମରେ ସହରବାସୀଙ୍କୁ ପ୍ଲାଷ୍ଟିକ୍ ବ୍ୟବହାର କମ୍ କରିବାକୁ ସଚେତନ କରାଯିବା ସହ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀ ସମ୍ପର୍କରେ ମଧ୍ୟ ଅବଗତ କରାଯାଉଛି ।

By amfnews

Related Post