ନୂଆଦିଲ୍ଲୀ, ଡିସେମ୍ବର ୨୩ : ଉତ୍ତର ପ୍ରଦେଶର ପୟାଗରାଜସ୍ଥିତ ଇଫକୋ କାରଖାନାରେ ବଡ଼ ଦୁର୍ଘଟଣା ଘଟିଛି । ୟୁରିଆ ପ୍ରସ୍ତୁତ କରୁଥିବା ଏହି କାରଖାନାରେ ମଙ୍ଗଳବାର ରାତି ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ୨ ଜଣ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି । ଏହି ଘଟଣାରେ ଅନେକ କର୍ମଚାରୀ ଅସୁସ୍ଥ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଗ୍ୟାସ ନିର୍ଗତର ସମ୍ମୁଖୀନ ହୋଇଥିବା ୧୫ ଜଣ କର୍ମଚାରୀ ଗୁରୁତର ଅଛନ୍ତି । ଏହି ଦୁର୍ଘଟଣାରେ କାରଖାନାର ସହାୟକ ପରିଚାଳକ ବିପି ସିଂହ ଓ ଡେପୁଟି ପରିଚାଳକ ଅଭିନନ୍ଦନଙ୍କ ପ୍ରାଣହାନୀ ଘଟିଛି ।
ପ୍ରୟାଗରାଜର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ୪୦ କିଲୋମିଟର ଦୂରରେ ଫୁଲପୁରରେ ଇଫକୋ (ଇଣ୍ଡିଆନ ଫାର୍ମର୍ସ ଆଣ୍ଡ ଫର୍ଟିଲାଇଜର କୋ-ଅପରେସନ ଲିମିଟେଡ)ର କାରଖାନା ରହିଛି । ଏହି କଂପାନୀକୁ ଏସୀୟ କଂପାନୀଙ୍କ ମଧ୍ୟ ଗଣତି କରାଯାଇଥାଏ । ମଙ୍ଗଳବାର ବିଳମ୍ବିତ ରାତି ଯାଏଁ କାରଖାନାରେ କାମ ଚାଲିଥିଲା । ରାତିରେ ୧୦୦ ଜଣ କର୍ମଚାରୀ କାମ କରୁଥିଲେ ।
ଘଟଣା ସଂପର୍କରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳକୁ ପହଂଚିଛନ୍ତି । ଘଟଣା ସଂପର୍କରେ ସେମାନେ ଅବଗତ ହୋଇଛନ୍ତି । କେଉଁ କାରଣରୁ ଗ୍ୟାସ ନିର୍ଗତ ହେଲା, ତାହା ଜଣାପଡ଼ିନାହିଁ । ତଥାପି କାରଖାନାର କୌଣସି ପମ୍ପରୁ ଲିକେଜ ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ଅନ୍ୟପଟରେ ଅବହେଳା ଯୋଗୁଁ ଏହି ବିପଦ ଦେଖାଯାଇଥିବା ଅନୁମାନ କରାଯାଉଛି । ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି ।