Sat. Nov 16th, 2024

ପ୍ରଧାନମନ୍ତ୍ରୀ ମୋଦୀ ବିଧାନସଭା ନିର୍ବାଚନକୁ ସ୍ୱୀକାର କରି କଂଗ୍ରେସକୁ ଜଣାଇଲେ ଶୁଭେଚ୍ଛା

By amfnews Dec 12, 2018 #Featured
219 Views

ନୂଆଦିଲ୍ଲୀ, ଡିସେମ୍ବର ୧୨ : ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି । ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ ମାଧ୍ୟମରେ କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀ କଂଗ୍ରେସ ବ୍ୟତୀତ ତେଲଙ୍ଗାନା ରାଷ୍ଟ୍ର ସମିତି ଏବଂ ମିଜୋ ନ୍ୟାସନାଲ ଫ୍ରଣ୍ଟର ବିଜୟକୁ ମଧ୍ୟ ସ୍ୱୀକାର କରି ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କୁ ମୋଦୀ କହିଛନ୍ତି, ହାରିବା-ଜିତିବା ଜୀବନର ଅବିଚ୍ଛେଦ୍ୟ ଅଂଶବିଶେଷ ।

ପାଂଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ମୋଦୀ ଟୁଇଟ ମାଧ୍ୟମରେ କହିଛନ୍ତି, କଂଗ୍ରେସ ବିଜୟୀ ହୋଇଥିବାରୁ ଶୁଭେଚ୍ଛା ଜଣାଉଛି । ତେଲଙ୍ଗାନାରେ କେସିଆରଙ୍କୁ ବିପୁଳ ଭୋଟ ମିଳିଛି । ମିଜୋରାମରେ ବିଜୟ ପାଇଁ ଏମଏନଏଫକୁ ଶୁଭେଚ୍ଛା । ବିଜେପି କର୍ମକର୍ତ୍ତା ନିର୍ବାଚନ ପାଇଁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ସେମାନଙ୍କ କଠିନ ପରିଶ୍ରମକୁ ପ୍ରଣାମ ଜଣାଉଛି । ହାରିବା-ଜିତିବା ଜୀବନରେ ନୂଆ କଥା ନୁହେଁ । ଆଜିର ଫଳାଫଳ ଦେଶର ଉନ୍ନତି ଏବଂ ଲୋକଙ୍କ ସେବା କରିବା ପାଇଁ କଠିନ କାମ କରିବାକୁ ଆମକୁ ସଂକଳ୍ପ ଯୋଗାଇବ ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆମେ ଜନାଦେଶକୁ ବିନମ୍ରତାର ସହିତ ସ୍ୱୀକାର କରୁଛୁ । ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଲୋକେ ଆମକୁ ସେବା କରିବା ପାଇଁ ସୁଯୋଗ ଦେଇଥିଲେ । ଏହି ରାଜ୍ୟଗୁଡ଼ିକରେ ବିଜେପି ସରକାର ଲୋକଙ୍କ ମଙ୍ଗଳପାଇଁ କାମ କରିଛି ।

 

By amfnews

Related Post