Mon. Apr 21st, 2025

ପ୍ରଥମ ରାଜ୍ୟ ଭାବେ ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା କେରଳ

By amfnews Jan 14, 2020 #Featured
183 Views

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସିଏଏକୁ ନେଇ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି। ଏସବୁ ଭିତରେ ସିଏଏ ବିରୋଧରେ ୬୦ଟି ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଛି। ଏବେ କେରଳ ସରକରୀ ଆଉ ଏକ ଆବେଦନ ଦାଖଲ କରିଛନ୍ତି।

କେରଳରେ କ୍ଷମତାସୀନ ବାମପନ୍ଥୀ ସରକାର ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ସିଏଏ ସମ୍ବିଧାନର ଏକାଧିକ ଧାରାକୁ ଉଲ୍ଲଙ୍ଘନ କରୁଛି। ସମସ୍ତଙ୍କୁ ସମାନ ଅଧିକାର ଓ ସମ୍ବିଧାନରେ ଥିବା ଧର୍ମନିରପେକ୍ଷ ପ୍ରିନ୍ସିପୁଲକୁ ସିଏଏ ଦ୍ୱାରା ଉଲ୍ଲଙ୍ଘନ କରାଯାଇଛି। ସିଏଏ ସମ୍ବିଧାନର ଧାରା ୧୪, ୨୧ ଓ ୨୫ ଉଲ୍ଲଙ୍ଘନ କରୁଥିବା କେରଳ ସରକାର ଆବେଦନରେ ଉଲ୍ଲେଖ କରିଛନ୍ତି।

କେରଳ ସରକାର ୨୦୧୫ ପାସପୋର୍ଟ ଆଇନ ଓ ବିଦେଶୀ (ସଂଶୋଧନ) ନିର୍ଦ୍ଦେଶକୁ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହି ଆଇନରେ ୨୦୧୫ ପୂର୍ବରୁ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସି ଥିବା ଅଣ ମୁସଲିମଙ୍କ ରହିବା ପ୍ରକ୍ରିୟାକୁ ସ୍ଥାୟୀ କରିବା ବିଷୟରେ ରହିଛି।  କେରଳ ସରକାର ସମ୍ବିଧାନର ଅନୁଚ୍ଛେଦ ୧୩୧ ଅନୁଯାୟୀ ଏଭଳି ଆବେଦନ କରିଛନ୍ତି। ଏଥିରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ଆଇନକୁ ନେଇ ବିବାଦ ଦେଖାଦେଲେ, ଏହାର ସମାଧାନ ସୁପ୍ରିମକୋର୍ଟ କରିପାରିବାର ବ୍ୟବସ୍ଥା ରହିଛି।

ସିଏଏକୁ ନେଇ ଲାଗୁ ହୋଇଥିବା ଅନ୍ୟ ୬୦ଟି ଆବେଦନ ସହ ଏହାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ କେରଳ ଦେଶର ପ୍ରଥମ ରାଜ୍ୟ ଭାବେ ସିଏଏ ବିରୋଧରେ ବିଧାନସଭାରେ ଏକ ସଂକଳ୍ପ ପାରିତ କରିଥିଲା। ଏକାଧିକ ଅଣ ବିଜେପି ରାଜ୍ୟ ସିଏଏକୁ ବିରୋଧ କରୁଥିଲେ ହେଁ କେହି ବି ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇନାହାନ୍ତି କିମ୍ବା ସଂକଳ୍ପ ପାରିତ କରି ନାହାନ୍ତି।

By amfnews

Related Post