Sat. Mar 7th, 2026
225 Views

ପାଣାଜୀ: ମହାମାରୀ କରୋନା ଭାଇରସକୁ ନେଇ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଗୋଆରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଦେଶର ପ୍ରଥମ ରାଜ୍ୟ ଭାବେ ଗୋଆ ବର୍ତ୍ତମାନ କରୋନା ମୁକ୍ତ ହୋଇଛି। ଏଠାରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସମସ୍ତ ୭ ଜଣ ରୋଗୀ ରବିବାର ଆରୋଗ୍ୟ ଲାଭ କରିଛନ୍ତି। ଅର୍ଥାତ ଏବେ ଗୋଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ହୋଇଯାଇଛି।

ଏପ୍ରିଲ ୩ ପରେ ଗୋଆରେ କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି। ରାଜ୍ୟରେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଦେଶ ଗସ୍ତରୁ ଫେରିଥିଲେ। ସେହିପରି ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଭାଇ ରହିଥିଲେ। ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଥିଲା। ଏବେ ସମସ୍ତେ ସୁସ୍ଥ ହୋଇଥିବା ଗୋଆ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, “ଗୋଆ ବର୍ତ୍ତମାନ କୋଭିଡ-୧୯ ମୁକ୍ତ ହୋଇଛି। ସମସ୍ତ ୭ କରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏବେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ ଓ ପରେ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବ।”

ଗୋଆରେ ୮୦୦ ଲୋକଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

By amfnews

Related Post