Sun. Nov 24th, 2024

ପ୍ରତିଶୋଧ ନେଲା ସେନା

By amfnews Feb 18, 2019 #Featured
161 Views

ଜାମ୍ମୁ ଓ କାଶ୍ମୀର, ଫେବୃୟାରୀ ୧୮ : ପୁଲୱାମା ଘଟଣାର ପ୍ରତିଶୋଧ ନେବାକୁ ସେନାକୁ ସରକାରଙ୍କ ପକ୍ଷରୁ ସମସ୍ତ ଅଧିକାର ମିଳିବା ପରେ ତାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଜି ଏହି ବର୍ବରକାଣ୍ଡର ମାଷ୍ଟର୍‌ ମାଇଣ୍ଡ୍‌ କୁହାଯାଉଥିବା ଜୈଶ୍‌-ଏ-ମହମ୍ମଦ ଆତଙ୍କୀ ସଂଗଠନର ଦୁଇ ଆତଙ୍କାବାଦୀଙ୍କୁ ଭାରତୀୟ ସେନା ନିପାତ କରିଛି । ଦୁଇ ଜଣ ହେଲେ ଗାଜି ରସିଦ୍‌ ଓ କାମରାନ୍‌ । ଏ ଦୁଇଜଣଙ୍କୁ ପୁଲୱାମା ହମଲାର ମାଷ୍ଟର୍‌ମାଇଣ୍ଡ୍‌ ବୋଲି କୁହାଯାଉଛି । ସେନା ଦୁଇ ଜଣଙ୍କ ଶବକୁ ଜବତ କରିଛି । କିନ୍ତୁ ସେନାର ଅଧିକାରୀ କୌଣସି ସୂଚନା ଦେଇ ନାହାଁନ୍ତି ।

ପୁଲୱାମା ପିଙ୍ଗଲାନ୍‌ ଅଂଚଳରେ ଆକ୍ରମଣର ମୂଖ୍ୟ ସୂତ୍ରଧର ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ଏହା ପରେ ଗତକାଲି ରାତିଠାରୁ କାଶ୍ମୀର ପୋଲିସ ଓ ସିଆର୍‌ପିଏଫ୍‌ର ମିଳିତ ଅପରେସନ୍‌ ଆରମ୍ଭ ହୋଇଥିଲା । ଘମାଘୋଟ ଗୁଳି ବିନିମୟ ବେଳେ ପ୍ରଥମେ ଭାରତ ଜଣେ ମେଜର୍‌ଙ୍କ ସମେତ ୪ ଜଣ ଯବାନଙ୍କୁ ହରାଇଥିଲା । ମେଜର୍‌ ଡି ଏସ୍‌ ଡାଣ୍ଡିଆଲ୍‌, ହେଡ଼୍‌ କନଷ୍ଟେବଳ ସେବା ରାମ, ଅଜୟ କୁାମର ଓ ହରି ସିଂହ ଶହୀଦ ହୋଇଛନ୍ତି । ଏହା ପରେ ବି ସେନାର ଗୁଳି ବର୍ଷା ଜାରି ରହିଥିଲା । ଏହା ଆତଙ୍କବାଦୀମାନେ ଲୁଚି ରହିଥିବା ଘର ଉପରକୁ ସୁରକ୍ଷାବାହିନୀ ଗୁଳି ବର୍ଷା କରିଥିଲା । ଏଥିରେ ଦୁଇ ଆତଙ୍କବାଦୀ ଗାଜି ରସିଦ୍‌ ଓ କାମରାନ୍‌ ନିପାତ ହୋଇଛନ୍ତି ।

ଅନ୍ୟପକ୍ଷରେ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିବା ସୂଚନା ମିଳିଛି । ଏଥିରେ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ନିଆଯିବାକୁ ଆଲୋଚନା ହେଉଥିବା ଅନୁମାନ କରାଯାଉଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୪ ତାରିଖ ଦିନ ପୁଲୱାମାରେ ସେନା ଗାଡ଼ିକୁ ଏକ ଆତ୍ମଘାତୀ କାର୍‌ ଧକ୍କା ଦେଇଥିଲା । ଯାହାର ବିସ୍ପୋରଣରେ ଭାରତ ୪୦ ଜଣ ବୀର ଯବାନଙ୍କୁ ହରାଇଥିଲା । ଏହା ପରେ କେନ୍ଦ୍ର ସରକାର ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଭାରତୀୟ ସେନାକୁ ସମସ୍ତ ସ୍ୱତନ୍ତ୍ରତା ପ୍ରଦାନ କରିଥିଲେ ।

By amfnews

Related Post