Mon. Jan 13th, 2025

ପେନ୍‌ସନ୍‌ ନେବାକୁ କଳାକାର ମିଳୁ ନାହାନ୍ତି

By amfnews Jan 5, 2019 #Featured
380 Views

ଭୁବନେଶ୍ବର , ଜାନୁଆରୀ ୦୫ : ଲକ୍ଷ୍ୟ ଥିଲା ୫୦ ହଜାର କଳାକାରଙ୍କୁ ପେନ୍‌ସନ୍ ମିଳିବ। ସେଥିପାଇଁ ସର୍ତ୍ତାବଳୀ କୋହଳ ହେଲା। କିନ୍ତୁ ସରକାରଙ୍କୁ କଳାକାର ମିଳିଲେନି। ବହୁ କଷ୍ଟରେ ଏହି ସଂଖ୍ୟା ୩୧ ହଜାର ଛୁଇଁଲା। ଯେ‌େତ ଉଦ୍ୟମ କଲେ ବି ଆଗକୁ ସଂଖ୍ୟା ଯାଇପାରିଲାନି। ଏପରିକି ଡିସେମ୍ବରରେ ୪୦ ହଜାର କଳାକାରଙ୍କୁ ପେନ୍‌ସନ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ବି ତାହା ସମ୍ଭବ ହୋଇପାରିଲା ନାହିଁ। ‘ମୁଖ୍ୟମନ୍ତ୍ରୀ କଳାକାର ସହୟତା’ ଯୋଜନାର ଏମିତି ସ୍ଥିତି ଏବେ ପଦାକୁ ଆସିଛି। ପୁଣି କିପରି ସର୍ତ୍ତ କୋହଳ କରି ଆଉ ୧୫ ହଜାର କଳାକାରଙ୍କୁ ପେନ୍‌ସନ୍ ଦିଆଯିବ, ସେଥି ପାଇଁ ସରକାରୀ ସ୍ତରରେ ମାନସ ମନ୍ଥନ ଆରମ୍ଭ ହୋଇଛି।

୨୦୧୮ ଜାନୁଆରି ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ଘୋଷଣା କଲେ। ଏହା ପୂର୍ବରୁ ରାଜ୍ୟରେ ୪୦୦୦ କଳାକାର ଭତ୍ତା ପାଉଛନ୍ତି। ନୂଆ ଯୋଜନା ଲାଗୁ ହେବା ଦ୍ବାରା ଅଧିକ ୪୬ ହଜାର କଳାକାର ୧୨୦୦ ଟଙ୍କା ଲେଖାଏ ମାସିକ ସହାୟତା ପାଇପାରିବେ ବୋଲି କୁହାଗଲା। ସହାୟତା ପାଇଁ ଆବେଦନ ନିୟମାବଳୀରେ ପରିବର୍ତ୍ତନ କରାଗଲା। ସହାୟତା ମଞ୍ଜୁରୀର ବିକେନ୍ଦ୍ରୀକରଣ କରାଯାଇ ଜିଲ୍ଲା ପ୍ରଶାସନକୁ ମଞ୍ଜୁରୀ କ୍ଷମତା ଦିଆଗଲା। ଉଦ୍ଦେଶ୍ୟ ଥିଲା ଏହା ଦ୍ବାରା କଳାକାରମାନଙ୍କ ଚିହ୍ନଟ ପ୍ରକ୍ରିୟା ସହଜ ହେବା ସହ ପ୍ରତି ଜିଲ୍ଲାରୁ କଳାକାରମାନଙ୍କ ପ୍ରତିନିଧିତ୍ବ ମଧୢ ବଢ଼ିପାରିବ। ପେନ୍‌ସନ୍ ପାଇଁ ପୂର୍ବରୁ ପୁରୁଷ କଳାକାରଙ୍କ ବୟସ ୬୦ ଓ ମହିଳା କଳାକାରଙ୍କ ବୟସ ୫୦ ବର୍ଷ ଥିଲା ବେଳେ ଏବେ ଏହାକୁ ହ୍ରାସ କରାଯାଇ ଯଥାକ୍ରମେ ୫୦ ଓ ୪୦ ବର୍ଷ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ୨୦୧୮-୧୯ ବଜେଟ୍‌ରେ ଏହି ଯୋଜନା ପାଇଁ ଆର୍ଥିକ ବନ୍ଦୋବସ୍ତ କରାଗଲା। ଜିଲ୍ଲାର ଲୋକସଂଖ୍ୟାକୁ ହିସାବକୁୁ ନେଇ ଜିଲ୍ଲା ୱାରି ପ୍ରସ୍ତାବିତ ୪୬ ହଜାର ହିତାଧିକାରୀଙ୍କୁ ବାଣ୍ଟି ଦିଆଗଲା। ପ୍ରତି ଜିଲ୍ଲାକୁ ଯେତିକି ଲକ୍ଷ୍ୟ ଦିଆଗଲା, ସେତିକି ଭିତରେ କଳାକାର ଚୟନ କରିବାକୁ କୁହାଗଲା। କିନ୍ତୁ ଏହାକୁ ଲାଗୁ କରିବାକୁ ବହୁ ଦିନ ଲାଗିଗଲା। ଜିଲ୍ଲା ପ୍ରଶାସନ କଳାକାର ଚୟନ କରିବାକୁ ବେଶ୍ ବିଳମ୍ବ କରିଥିବା ଅଭିଯୋଗ ହୋଇଛି। ଫଳରେ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ସାତ ମାସ ସହାୟତା ଦିଆଯାଇପାରିଲା ନାହିଁ। ଯେହେତୁ ଜିଲ୍ଲା ପ୍ରଶାସନ ହାତକୁ ମଞ୍ଜୁରୀ କ୍ଷମତା ଦିଆଗଲା, ତେଣୁ ସଂସ୍କୃତି ବିଭାଗ ହାତ ଟେକିଦେଲା।

ଡିସେମ୍ବର ସୁଦ୍ଧା ଦେଖାଗଲା ୯ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ କୌଣସି ଜିଲ୍ଲାରେ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ‌ଏହି ୯ଟି ଜିଲ୍ଲା ହେଲା ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ନୟାଗଡ଼ ଓ ସମ୍ବଲପୁର । ୨୧ଟି ଜିଲ୍ଲାରେ ଯେତିକି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ସେତିକି କଳାକାରଙ୍କୁ ପେନ୍‌ସନ୍ ଦେବା ତ ଦୂରର କଥା। ସେତିକି ଆବେଦନ ବି ହେଲା ନାହିଁ। ଫଳରେ ଡିସେମ୍ବର ୧୫ ସୁଦ୍ଧା ୩୦ଟି ଜିଲ୍ଲାରେ ମୋଟ୍ ୩୧,୩୦୬ ଜଣ କଳାକାର ‌‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା’ ଯୋଜନାର ହିତାଧିକାରୀ ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତ ମାସରେ ହୋଇଥିବା ‘ପିଠା’ ଶିବିରରେ କଳାକାରମାନଙ୍କୁ ଏହି ସହାୟତା ବଣ୍ଟନ କରାଯାଇଛି। ନ‌େଭମ୍ବର ଓ ଡିସେମ୍ବର ଦୁଇ ମାସର ସହାୟତା ୨୪୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ତେବେ ଚୂଡ଼ାନ୍ତ ତାଲିକାରେ ରହିଥିବା ୩୧,୩୦୬ ଜଣଙ୍କ ମଧ୍ୟରୁ ୨୮,୮୩୮ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଛି। କିଛି ପୌରସଂସ୍ଥାରେ ଏହି ସହାୟତା ବଣ୍ଟା ଯାଇ ନ ଥିବା ଜଣାପଡ଼ିଛି।

ଏବେ ପ୍ରଶ୍ନ ଉଠିଛି ଅବଶିଷ୍ଟ ୧୫ ହଜାର ଭତ୍ତା କାହାକୁ ଦିଆଯିବ ? ଗୋଟିଏ ବିକଳ୍ପ ରହିଛି ଯେହେତୁ ୨୧ଟି ଜିଲ୍ଲାରେ କଳାକାର ମିଳୁ ନାହାନ୍ତି, ତେଣୁ ଯେଉଁ ଜିଲ୍ଲାଗୁଡ଼ିକ ଲକ୍ଷ୍ୟ ପୂରଣ କରିଛନ୍ତି, ସେହି ଜିଲ୍ଲା ମଧ୍ୟରେ ଏହାକୁ ବଣ୍ଟାଯାଇପାରିବ। ଦ୍ବିତୀୟ ବିକଳ୍ପଟି ହେଉଛି ବୟସସୀମା କୋହଳ କରାଯିବ। ଏହି ଦ୍ବିତୀୟ ବିକଳ୍ପ ପାଇଁ ସଂସ୍କୃତି ବିଭାଗରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ପୁରୁଷ କଳାକାରଙ୍କ ବୟସସୀମା ୫୦ରୁ ୪୦ କରାଯିବାକୁ ଯୋଜନା ଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। କିନ୍ତୁ ବୟସସୀମା କୋହଳ ହେଲା ପରେ ୯ଟି ଜିଲ୍ଲାର କଳାକାରମାନେ ଲାଭ ପାଇପାରିବେ ନାହିଁ। କାରଣ ସେଠାରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇସାରିଛି। ଅବଶିଷ୍ଟ ୨୧ଟି ଜିଲ୍ଲାରେ ୪୦ ବର୍ଷରୁ ଅଧିକ ପୁରୁଷ କଳାକାର ହିତାଧିକାରୀ ହୋଇପାରିବେ। କିନ୍ତୁ ୯ଟି ଜିଲ୍ଲାରେ ଆହୁରି ବହୁ କଳାକାର ସହାୟତା ପାଇବାକୁ ହକ୍‌ଦାର ଥିଲେ ବି ଲକ୍ଷ୍ୟ ପୂରଣ ହୋଇଯାଇଥିବାରୁ ସେମାନେ ସହାୟତା ପାଇବାରୁ ବଞ୍ଚିତ ହେଲେ। ସେମାନଙ୍କ କଥା ବିଚାରକୁ ନିଆଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଫେବ୍ରୁ୍ଆରି ସୁଦ୍ଧା ୫୦ ହଜାର କଳାକାରଙ୍କୁ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା’ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା ରହିଛି। ଏବେ ବୟସ ସର୍ତ୍ତାବଳୀ କୋହଳ କରିବାକୁ ଆ‌େଲାଚନା ଚାଲିଛି। ଏ ନେଇ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ।

By amfnews

Related Post