Sat. Nov 2nd, 2024

ପୁଲିସ୍ ବନାମ ଓକିଲ: ମନେ ପଡ଼ିଲେ ୧୯୮୮ର କିରଣ ବେଦୀ

By amfnews Nov 6, 2019 #Featured
181 Views

ନୂଆଦିଲ୍ଲୀ: ମଙ୍ଗଳବାର ପୁଲିସ୍‌ଙ୍କ ଉପରେ ଆକ୍ରମଣ କରିଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନରେ ଶୁଭୁଥିଲା ଗୋଟିଏ ନାରା। ନାରାଟି ଥିଲା, ‘ହମାରା କମିଶନର୍‌ କୈସା ହୋ, କିରଣ ବେଦୀ ଜୈସା ହୋ’। ୧୯୮୮ ମସିହାରେ ଏଭଳି ସମାନ ଘଟଣାରେ ଚର୍ଚ୍ଚିତ ଆଇପିଏସ୍‌ ଅଧିକାରୀ କିରଣ ବେଦୀଙ୍କ ସାହସକୁ ସେମାନେ ମନେ ପକାଇଥିଲେ। ଘଟଣାଟି ସମାନ ସ୍ଥାନ ତିସ୍‌ ହଜାରୀ ସହ ଜଡ଼ିତ ଥିଲା।

୧୯୮୮ ଜାନୁଆରୀରେ ଏଭଳି ଏକ ଘଟଣା କ୍ରମରେ ରାଜେଶ ଅଗ୍ନିହୋତ୍ରୀ ନାମକ ଜଣେ ଓକିଲଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଥିଲା। ସେଣ୍ଟ ଷ୍ଟିଫେନ୍‌ କଲେଜ୍‌ର ଲେଡିଜ୍‌ କମନ୍‌ ରୁମ୍‌ରୁ ସେ ଚୋରୀ କରୁଥିବା ଅଭିଯୋଗରେ ଛାତ୍ରଛାତ୍ରୀ ତାଙ୍କୁ କବ୍‌ଜା କରିବା ପରେ ଗିରଫ କରାଯାଇଥିଲା। ଜାନୁଆରୀ ୧୬ରେ ତିସ୍‌ ହଜାରୀ କୋର୍ଟରେ ତାଙ୍କୁ ହ୍ୟାଣ୍ଡକପ୍‌ ସହ ହାଜର କରାଯିବା ପରେ ଓକିଲମାନେ ଆନ୍ଦୋଳନ କରିଥିଲେ। ଏହାପରେ ମାଜିଷ୍ଟ୍ରେଟ୍‌ ଓକିଲଙ୍କୁ ଖଲାସ କରିବା ସହ କମିଶନରେଟ୍‌ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ ଏଥିପାଇଁ ଦାୟୀ ପୁଲିସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହାପରେ ପୁଲିସ୍‌ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିରୋଧରେ ଜାନୁଆରୀ ୧୮ରୁ ଓକିଲମାନେ ବିକ୍ଷୋଭ କରିଥିଲେ। ଏହାପରେ ସାମ୍ନାକୁ ଆସିଥିଲେ ପ୍ରଥମ ମହିଳା ଆଇପିଏସ୍‌ କିରଣ ବେଦୀ। ସେ ଜାନୁଆରୀ ୨୦ରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ପ୍ରତି ସମର୍ଥନ ଦେବା ସହ ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶକୁ ସମାଲୋଚନା କରିଥିଲେ।

ଏହାପର ଦିନ ଓକିଲମାନେ ବେଦୀଙ୍କ ତିସ୍‌ ହଜାରୀ କ୍ୟାମ୍ପସ୍‌ରେ ଥିବା କାର୍ଯ୍ୟାଳୟରେ ଭେଟିବାକୁ ବହୁ ସଂଖ୍ୟାରେ ଆସିଥିଲେ। ଏହାପରେ ଲାଠି ଚାର୍ଜ ହୋଇଥିଲା ଏବଂ ବହୁ ଓକିଲ ଆହତ ହୋଇଥିଲେ। ଏହା ପରେ ୨ ମାସ ଧରି କୋର୍ଟ ବନ୍ଦ ରହିଥିଲା। ଦିଲ୍ଲୀ ଏବଂ ନିକଟବର୍ତ୍ତୀ ସମସ୍ତ କୋର୍ଟ ବନ୍ଦ ରହିଥିଲା। ସେମାନେ ବେଦୀଙ୍କ ଇସ୍ତଫା ଦାବି କରିଥିଲେ। ଏହାର ତଦନ୍ତ ପାଇଁ ଦିଲ୍ଲୀ ହାଇକୋର୍ଟ ଡିପି ୱାଧ୍‌ୱାଙ୍କ ନେତୃତ୍ୱରେ ଏକ ଦୁଇଜଣିଆ କମିଟି ଗଠନ କରିଥିଲେ।

କମିଟି ରିପୋର୍ଟ ଦେଇଥିଲା, ଓକିଲଙ୍କୁ ହ୍ୟାଣ୍ଡକପ୍‌ ପକାଇବା ଭୁଲ୍‌ ଥିଲା। ତେଣୁ ତାଙ୍କର ବଦଳି ପାଇଁ ସୁପାରିସ୍‌ କରାଯାଇଥିଲା। ୨୦୧୫ ମସିହାରେ ବିଜେପି ପକ୍ଷରୁ ତାଙ୍କୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବା ପରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା। ବିଭିନ୍ନ କୋର୍ଟର ଓକିଲମାନେ ବିଜେପିର ନିଷ୍ପତ୍ତିକୁ ବିରୋଧ କରିଥିଲେ।

ବର୍ତ୍ତମାନ ୧୯୮୮ ଭଳି ଘଟଣା ଘଟିଥିବାରୁ ମଙ୍ଗଳବାର କିଛି ପୁଲିସ୍‌ କିରଣ ବେଦୀଙ୍କ ନାମ ନେଇଥିଲେ। ସେମାନେ ବଡ଼ ବଡ଼ ପୋଷ୍ଟର ମଧ୍ୟ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନର ପୁଦୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ମନେ ପକାଇ ସେମାନେ ନାରା ଦେଇଥିଲେ, ‘କିରଣ ବେଦୀ ଶେରନୀ ହମାରୀ’ ଏବଂ ‘ହମାରା କମିଶନର ଅଫ୍‌ ପୁଲିସ୍‌ କୈସା ହୋ, କିରଣ ବେଦୀ ଜୈସା ହୋ’।

By amfnews

Related Post