Sun. Mar 8th, 2026

ପୁଲିସ ଓ ସରପଞ୍ଚଙ୍କୁ ଆକ୍ରମଣ କରିବାକୁ ଆତଙ୍କବାଦୀଙ୍କୁ ଆଦେଶ ଦେଇଛି ଆଇଏସ୍‌ଆଇ

215 Views

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଗୋଳମାଳ କରିବା ନିମନ୍ତେ ପୁଲିସ ଓ ସରପଞ୍ଚମାନଙ୍କୁ ଆକ୍ରମଣ କରିବାକୁ ପାକିସ୍ତାନର ଗୁପ୍ତଚର ଏଜେନ୍‌ସି ଆଇଏସ୍‌ଆଇ ଆତଙ୍କବାଦୀମାନଙ୍କୁ ଆଦେଶ ଦେଇଥିବା କଥା ଗୁଇନ୍ଦାସୂତ୍ରରୁ ଜଣାପଡ଼ିଛି। କଶ୍ମୀର ଉପତ୍ୟକାରେ ହିଜ୍‌ବୁଲ୍‌ ମୁଜାହିଦୀନ ଆତଙ୍କବାଦୀମାନଙ୍କ ନେଟ୍‌ଓ୍ଵାର୍କକୁ ସକ୍ରିୟ କରିବାକୁ ପାକିସ୍ତାନ ପ୍ରବଳ ଉଦ୍ୟମ କରୁଛି ବୋଲି ଜଣାପଡ଼ିଛି।

ସକ୍ରିୟ ହୋଇ କଶ୍ମୀର ଉପତ୍ୟକାରେ ଶାନ୍ତି ଭଙ୍ଗ ଲାଗି ଏକମାତ୍ର ଜୀବିତ ହିଜ୍‌ବୁଲ୍‌ କମାଣ୍ଡର୍‌ ରିଆଜ୍‌ ନାଇକୁଙ୍କୁ ପାକିସ୍ତାନ ଆଦେଶ ଦେଇଛି। ଭାରତ ବିପକ୍ଷରେ ଷଡ଼ଯନ୍ତ୍ର କରିବାକୁ ପାକିସ୍ତାନ ଅଧିକୃତ କଶ୍ମୀରର ନିକିୟାଲ୍‌ ସେକ୍ଟରରେ ନଭେମ୍ବର ୧୯ ତାରିଖ ଦିନ ଆଇଏସ୍‌ଆଇ ଅଧିକାରୀ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା।

କେତେକ ବରିଷ୍ଠ ଆଇଏସ୍‌ଆଇ ଅଧିକାରୀଙ୍କ ବ୍ୟତୀତ ଏହି ବୈଠକରେ ଲଶ୍ମର-ଏ-ତୈବାର କମାଣ୍ଡର୍‌ ଅଶଫକ୍‌ ବରଓ୍ଵାଲ୍‌, ୟୁସୁଫ୍‌ କ୍ୱାରି ଏବଂ ଜୈସ୍‌-ଏ-ମହମ୍ମଦର ଆତଙ୍କବାଦୀ ରହମନ ଖାଁ ମଧ୍ୟ ଯୋଗ ଦେଇଥିଲେ। ଭାରତକୁ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ବଢ଼ାଇବାକୁ ବୈଠକ ସମୟରେ ଏହି ଆତଙ୍କବାଦୀମାନଙ୍କୁ ନିର୍ଦେଶ ଦେଇଥିଲେ।

ନିକଟରେ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଥିବା ସରପଞ୍ଚମାନଙ୍କର ତାଲିକା ପ୍ରସ୍ତୁତି କରିବାକୁ ଆତଙ୍କବାଦୀମାନଙ୍କୁ ଆଦେଶ ଦିଆଯାଇଥିଲା। ଏହାଛଡ଼ା ଜମ୍ମୁ ଓ କଶ୍ମୀରର ପୁଲିସ ଅଧିକାରୀମାନଙ୍କ ନାମ, ବିଶେଷତଃ ଯେଉଁମାନେ ଆତଙ୍କବାଦ ନିପାତ ପଇଁ ଭାରତୀୟ ସେନାବାହିନୀ ସହ କାମ କରୁଛନ୍ତି, ପ୍ରସ୍ତୁତ କରିବାକୁ ମଧ୍ୟ ସେମାନଙ୍କୁ କୁହାଯାଇଛି।

By amfnews

Related Post