Sun. Mar 8th, 2026

ପୁରୀ ବଡ଼ଦାଣ୍ଡରୁ ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

204 Views

ପୁରୀ : ପ୍ରାୟ ୨୪ ବର୍ଷ ହେଲାଣି ପୁରୀ ବଡ଼ଦାଣ୍ଡରେ ଭିକ ମାଗୁଥିବା ଇଞ୍ଜିନିୟର ଗିରିଜା ଶଙ୍କର ମିଶ୍ର ଶେଷରେ ଘରକୁ ଫେରିଛନ୍ତି।  ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଗିରିଜାଙ୍କ ଭାଇଭଉଣୀ ପୁରୀରେ ପହଞ୍ଚି ତାଙ୍କୁ ବୁଝାଶୁଝା କରି ଘରକୁ ନେଇଯାଇଥିବା ସୂଚନା ମିଳିଛି।

ଗିରିଜାଙ୍କ ନିଜ ଘର ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଡିଏସ୍‌ପି ହୋଇଥିବା ବେଳେ ଏବେ ବାପା,ମା’ ଆଉ ନାହାନ୍ତି । ଭୁବନେଶ୍ୱରରେ ମଧ୍ୟ ତାଙ୍କ ଘର ଥିବା ଜଣାପଡ଼ିଛି।

କିଛି ଦିନ ପୂର୍ବେ ଜଣେ ରିକ୍ସାବାଲା ସହିତ ଗିରିଜାଙ୍କର ଗଣ୍ଡଗୋଳ ଓ ମାରପିଟ ହୋଇଥିଲା। ଏହି ମାମଲା ପହଞ୍ଚିଥିଲା ଟାଉନ୍‌ ଥାନାରେ। ସେତେବେଳେ ଫିଟିଥିଲା ଗିରିଜାଙ୍କ ଗୁମର। ସେ ଇଂରାଜୀରେ ଏଫ୍‌ଆଇଆର୍ ଲେଖିବା ଦେଖି ପୁଲିସ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପଚରାଉଚରା ପରେ ତାଙ୍କ ବିଷୟରେ ଅନେକ କଥା ଜଣା ପଡ଼ିଥିଲା।

ସିପେଟ୍‌ରୁ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ପାସ୍‌ ପରେ ଗିରିଜା ମୁମ୍ବାଇରେ ଏକ କମ୍ପାନୀରେ ଚାକିରି କରିଥିଲେ। ତେବେ ସେଠାରେ ଉଚ୍ଚ ପଦାଧିକାରୀଙ୍କ ସହ ମତାନ୍ତର ଯୋଗୁ ଚାକିରି ଛାଡ଼ି ଦେଇଥିଲେ। ଏହାପରେ କୌଣସି କାରଣରୁ   ଭିକ ମାଗିବା ସ୍ଥିତି ସୃଷ୍ଟି ହେଲା ସେ ସମ୍ପର୍କରେ କହିବାକୁ ମନା କରି ଦେଇଛନ୍ତି ଗିରିଜା।

By amfnews

Related Post